Sun. Sep 6th, 2026

ଲୋକେ ଫଟୋ ଉଠାଇବାରେ ବ୍ୟସ୍ତ ରହିଲେ, ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜିଲେ ଯୁବକ

217 Views

ଭଦ୍ରକ : ମରିଗଲାଣି ମାନବିକତା, ହଜିଗଲାଣି ବିବେକ। ଆଜି ଏକ ଦୁର୍ଘଟଣାରୁ ପୁଣି ଥରେ ଏହା ପ୍ରମାଣିତ ହୋଇଛି। ଟ୍ରକ୍‌ ଚାପାରେ ରାସ୍ତାରେ ପଡ଼ି ଜଣେ ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେଠାରେ ଭିଡ଼ ଜମାଇଥିବା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବଦଳରେ ନିଜ ନିଜ ମୋବାଇଲ୍ ଫୋନ୍‌ରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହୁଏତ ଆଉ କିଛି ସମୟ ପୂର୍ବରୁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତାଙ୍କ ଜୀବନ ବଞ୍ଚି ଯାଇଥା’ନ୍ତା। ଏପରିକି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲାରେ।

ସୂଚନା ଅନୁଯାୟୀ,  ଦୁଇ ଜଣ ଯୁବକ ବାଇକ୍‌ରେ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ବାଇକ୍‌ ଚଲାଉ ଥିବା ଯୁବକ ଜଣଙ୍କ ଡାହାଣ ପାଖକୁ ଛିଟିକି ପଡ଼ିଥିବା ବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଟ୍ରକ୍‌ ସମ୍ମୁଖରେ ପଡ଼ି ଯାଇଥିଲେ। ଏହା ପରେ ଟ୍ରକ୍‌ଟି ତାଙ୍କ ଅଣ୍ଟା ଉପରେ ଚଢ଼ିଯାଇଥିଲା।

ଘଟଣାସ୍ଥଳରେ ଥିବା ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପରିଚୟ ମିଳିପାରି ନାହିଁ।

ତେବେ ମୃତକ ଜଣଙ୍କ ଦୀର୍ଘ ସମୟ ଧରି ରାସ୍ତା ଉପରେ ପଡ଼ି ରହିଥିଲେ। ସେ ଜୀବିତ ଥିଲେ ଓ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଲୋକେ ଦେଖୁଥିଲେ, କିନ୍ତୁ ତାଙ୍କୁ ମେଡିକାଲରେ ପହଞ୍ଚାଇବାକୁ ପ୍ରୟାସ ବି କରି ନଥିଲେ। ବରଂ ମୋବାଇଲରେ ଉକ୍ତ ଦୃଶ୍ୟକୁ ମୋବାଇଲ୍ ଫୋନ୍‌ରେ ରେକର୍ଡ କରିବାରେ ବ୍ୟସ୍ତ ରହିଥିଲେ। ସେମାନେ ହୁଏତ ଟିକେ ପ୍ରୟାସ କରିଥିଲେ, ସେ ଅମୂଲ୍ୟ ଜୀବନ ବଞ୍ଚି ଯାଇଥା’ନ୍ତା।

By amfnews

Related Post