Sat. Apr 25th, 2026
246 Views

ବାଲେଶ୍ୱର/ବାଲିଆପାଳ : ସୁବର୍ଣ୍ଣରେଖା ନଦୀ ନିକଟ ବାଲିଆପାଳ ଥାନା ଅଧୀନ ବାଲିଆପାଳ-କମର୍ଦ୍ଦା ରାସ୍ତାର ବଡ଼ମଇଁଷାରୀ ଛକ ନିକଟରେ ଆଜି ଅପରାହ୍ନରେ ଗୁଳିକାଣ୍ଡ ଘଟିଛି। ଦୁଇଜଣ ଅଜଣା ଯୁବକ ବାଇକ୍‌ରେ ଆସି ଅତର୍କିତ ଭାବେ ଫାୟରିଂ କରି ଫେରାର ହୋଇଯାଇଥିଲେ। ଏଥିରେ ଖଗଡ଼ାପାଳର ସୁଧାଂଶୁ ଶେଖର ଚକ୍ରବର୍ତ୍ତୀଙ୍କ ପୁଅ ସୌମ୍ୟଦ୍ବୀପ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧ‌ାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ନିଜ ବୁଲେଟ୍‌ ଗାଡ଼ିରେ ସୌମ୍ୟଦ୍ବୀପ ବାଲିଆପାଳ-କମର୍ଦ୍ଦା ରାସ୍ତାରେ ତାଙ୍କର କଣ୍ଟାପାଳସ୍ଥିତ ବାଲି ଖାଦାନକୁ ଯାଉଥିଲେ। ବାଟରେ ଗୋଟିଏ ସୁଜୁକି ଜିଗ୍‌ଜର ବାଇକ୍‌ରେ ଦୁଇଜଣ ଅଜଣା ଯୁବକ ତାଙ୍କୁ ଗୁଳିମାଡ଼ କରିଥିଲେ। ସୌମ୍ୟଦ୍ବୀପଙ୍କ ଡାହାଣ ପାଖ କାନ୍ଧ ତଳକୁ ଗୁଳି ବାଜିଥିଲା। ସ୍ଥାନୀୟ ଲୋକେ ସୌମ୍ୟଦ୍ବୀପଙ୍କୁ ଏକ ବାଇକ୍‌ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଗୁଳିମାଡ଼ କରିଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କୁ ସୌମ୍ୟଦ୍ବୀପ ଚିହ୍ନିପାରିଥିଲେ। ସଂପୃକ୍ତ ଯୁବକ ଜଣକ ଜାମକୁଣ୍ଡା ଅଞ୍ଚଳର ପ୍ରକାଶ ସାମଲ ଓରଫ ଚଗଲା ବୋଲି ସେ କହିଛନ୍ତି।

ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ‌ସୌମ୍ୟଦ୍ବୀପ କଣ୍ଟାପାଳ ସମେତ ଜଳେଶ୍ବର ଅଞ୍ଚଳର ୪ଟି ବାଲିଖାଦାନ ଲିଜ୍‌ ସୂତ୍ରରେ ନିଅନ୍ତି। ସେ ମଧ୍ୟ ବିଜେଡି ଦଳର ଜଣେ ଯୁବନେତା ଭାବେ କାର୍ଯ୍ୟ କରୁଛନ୍ତି। ଖଗଡ଼ାପାଳ ପାଣିଗ୍ରାହୀଜୀଉ ଜଗନ୍ନାଥ ମନ୍ଦିରର ସେ ପ୍ରଥମ ସେବକ। ଏପରିକି ସୁବର୍ଣ୍ଣରେଖା ଟ୍ରକ୍‌-ଟିପର ଆସୋସିଏସନ୍‌ର ସଭାପତି ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ସେନେଇ ପୁଲିସ ତଦନ୍ତ କରୁଛି। ବସ୍ତା ଏସ୍‌ଡିପିଓ ରଣଜିତ୍‌ ପୃଷ୍ଟି, ଆଇଆଇସି ପ୍ରଭୂକଲ୍ୟାଣ ଆଚାର୍ଯ୍ୟ ପ୍ରମୁଖ ଗୁଳିକାଣ୍ଡସ୍ଥଳକୁ ଯାଇ ଅଧିକ ତଦନ୍ତ କରୁଛନ୍ତି।

By amfnews

Related Post