Sun. Oct 18th, 2026
207 Views

କୋଣାର୍କ  :  ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ଏବେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ପାଳି। ଏବେ ନୂଆ ବଧୂ ପରି ସଜେଇ ହେବ ଐତିହ୍ୟ ସମ୍ପନ୍ନ ତଥା କଳାକୃତିର ନିଦର୍ଶନ ସାଜିଥିବା କୋଣାର୍କ ମନ୍ଦିର। ଏହାର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କରାଯିବାକୁ ନିଆଯିବ ପଦକ୍ଷେପ । କୋଣାର୍କର ନୂଆ ରୂପ ଦେଖି ଏଠାକୁ ଆସୁଥିବା ପର୍ଯ୍ୟଟକ ଏହାର ପ୍ରଶଂସା କରିବାକୁ ଭୁଲିବେ ନାହିଁ।

ଗତକାଲି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ କିଶନ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱ ସହ କୋଣାର୍କ ବଜାରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅପରାହ୍ନରେ ପୂର୍ତ୍ତ ସଚିବ, ଜିଲ୍ଲାପାଳ ପ୍ରଥମେ ଆଇଓସିଏଲ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ ।  ପରେ ସୂର୍ଯ୍ୟ ମନ୍ଦିରର ପ୍ରବେଶ ପଥ, ଅର୍ବାନ ହାଟ, ରିଙ୍ଗ ରୋଡ୍, ଆଇଓସିଏଲ୍ କାର ପାର୍କିଂ, ବସ୍ ପାର୍କିଂ, ମେଡିକାଲ ଛକ, ଥାନା ଛକ ଆଦି ବୁଲି ଦେଖିଥିଲେ । ଏହାସହ ଆର୍କିଟେକଙ୍କୁ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ ।

ବିଶେଷ କରି କୋଣାର୍କରେ ପାର୍କିଂ ବ୍ୟବସ୍ଥା, ଆଇଓସିଏଲ ଅଧୀନରେ ଥିବା ୮ଏକର ଜମିର ବିକାଶ,  ସ୍ୱତନ୍ତ୍ର ଭେଣ୍ଡିଙ୍ଗ ଜୋନରେ ଜବରଦଖଲକାରୀଙ୍କୁ  ଥଇଥାନ, ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ରାସ୍ତା, ପାଦଚଲା ରାସ୍ତା ନିର୍ମାଣ ନେଇ ଆଲୋଚନା  ହୋଇଥିଲା । ଗସ୍ତ ବେଳେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ସିଇଓ, ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ରାଜ୍ୟ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲିକଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

By amfnews

Related Post