Fri. Apr 24th, 2026

୨୦ରୁ ରାଜ୍ୟ କଂଗ୍ରେସର ମହିଳା ଆକ୍ରୋଶ ଯାତ୍ରା

316 Views

ଭୁବନେଶ୍ୱର : ଆସନ୍ତା ୨୦ରୁ ୩୦ ତାରିଖ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମହିଳା ଆକ୍ରୋଶ ଯାତ୍ରା ଆରମ୍ଭ କରିବ। ଉଭୟ ବିଜେଡି ଓ ବିଜେପି ଦ୍ୱାରା ମହିଳାମାନେ ପ୍ରତାରିତ ହେଉଥିବା ପ୍ରତିବାଦରେ ଏଭଳି ଅଭିଯାନ କରିବାକୁ ରାଜ୍ୟ ମହିଳା କଂଗ୍ରେସ ନିଷ୍ପତ୍ତି ନେଇଛି।

ଏ ନେଇ ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ଏକ ବିବୃତିରେ କହିଛନ୍ତି ଯେ ଉଭୟ ବିଜେଡି ଓ ବିଜେପି ଶାସନରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ଆକ୍ରମଣ ହେଉଥିବାରୁ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରସ୍ତାବିତ ମହିଳା ଆକ୍ରୋଶ ଯାତ୍ରା ରାଜ୍ୟ ମହିଳାମାନଙ୍କୁ ସଂଗଠିତ କରି ସେମାନଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦ କରିବାକୁ ଉଦ୍ଦିଷ୍ଟ। ଏହି ପରିପ୍ରେକ୍ଷୀରେ ମହିଳା କଂଗ୍ରେସ ପକ୍ଷରୁ ଉଭୟ ଦଳ ବିରୁଦ୍ଧରେ ୧୦ ଦଫା ସମ୍ବଳିତ ଖସଡ଼ା ପ୍ରସ୍ତୁତ କରିଛି।

ଏହି ଖସଡ଼ାରେ ମହିଳା ସଂରକ୍ଷଣ ବିଲ୍‌, ମହିଳାଙ୍କ ସଶକ୍ତୀକରଣ ଓ ସ୍ୱାଧୀନତା ଉପରେ ଅଙ୍କୁଶ, ଦରଦାମ ବୃଦ୍ଧି, ରାଜ୍ୟରେ ମଦର ଅବାଧ କାରବାର, ୫୫ ହଜାର ବାଳିକା ଅଧାରୁ ପାଠ ଛାଡ଼ିଛନ୍ତି, ମହିଳାଙ୍କ ଉପରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ରାଜ୍ୟର ୪୦ ପ୍ରତିଶତ ମହିଳାଙ୍କ ମଧ୍ୟରେ ରକ୍ତହୀନତା, ପୁଷ୍ଟିହୀନତାର ଶିକାର, ଗର୍ଭବତୀ ମହିଳା ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଓ ମହିଳାଙ୍କ କର୍ମନିଯୁକ୍ତି କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ଆଦି ପ୍ରସଙ୍ଗ ରଖାଯାଇଛି।

By amfnews

Related Post