Mon. May 20th, 2024

ହେକେଟ୍ ରୋଡ୍ ଖୋଲିବା ଦାବିରେ ବିଜେଡିର ଧାରଣା ସ୍ଥଗିତ

rklsanchar@gmail.com' By J.N. Pradhan Jun 30, 2018 #Featured
195 Views

ରାଉରକେଲା, ୩୦/୬: ରାଉରକେଲା ମ୍ୟୁନିସିପାଲ କଲେଜ ସମ୍ମୁଖସ୍ତ ସାରନା ଛକରୁ ଦକ୍ଷିଣ ରାଉରକେଲାକୁ ସଂଯୋଗ କରୁଥିବା ହେକେଟ୍ ରୋଡକୁ ଯଥାଶୀଘ୍ର ଖୋଲିବା ଦାବିରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆର୍ଏସ୍ପିର ୩ଟି ଗେଟ୍ ସମ୍ମୁଖରେ ହେବାକୁ ଥିବା ଗଣଧାରଣାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ନଗର ସଭାପତି ସୁଧୀର ସୁନ୍ଦରରାୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଶ୍ରୀ ରାୟ କହିଛନ୍ତି ଯେ, ଗତମାସ ୩ ତାରିଖ ଦିନ ହେକେଟ୍ ରୋଡ୍ ସ୍ଥିତ ୯ ନମ୍ବର ଟନେଲରେ ୫ ଜଣ ଯୁବକ ନିଖୋଜ ହେବା ପରେ ଏହି ରାସ୍ତାକୁ କାରଖାନା ପକ୍ଷରୁ ଅବରୋଧ କରାଯାଇଥିଲା । ସେହିଦିନ ଠାରୁ ଏହି ରାସ୍ତା ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି । ଫଳରେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଦିନ ମଜୁରିଆ, ରୋଗୀ ଏପରିକି ସାଧାରଣ ଜନତା ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଦକ୍ଷିଣ ରାଉରକେଲାର ଜନସାଧାରଣ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ନେତୃମଣ୍ଡଳୀ ତଥା ଦଳୀୟ ସଦସ୍ୟ ଆର୍ଏସ୍ପିର ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ରାସ୍ତା ଦେଇ ଯାତାୟତ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଇତିମଧ୍ୟରେ ରାସ୍ତା ଅବରୋଧ ହଟାଯାଇ ନାହିଁ ।

ଏହି ସମସ୍ୟା ସମ୍ପର୍କରେ ଅବଗତ ହୋଇ ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ସମସ୍ୟାର ସମାଧାନ ପାଇଁ କାରଖାନାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଦୁର୍ଘଟଣା ସ୍ଥଳ ଓ ହେକେଟ୍ ରୋଡ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।

ଏହି ଅବସରରେ କାରଖାନାର ସହରସେବା ବିଭାଗ ଜିଏମ୍ ନୀରଜ କୁମାର ସାମନ୍ତରାୟ, ଇଡି ପିଆଣ୍ଡଏ ପି.କେ. ପ୍ରଧାନଙ୍କୁ ଏହି ରାସ୍ତାରୁ ଯଥାଶୀଘ୍ର ସ୍ଲାଗ୍ ଉଠାଇବା କାର୍ଯ୍ୟ ଚାଲୁଥିବା ସମ୍ପର୍କରେ ସୂଚନା ଦେବା ସହ ତରକେଲା କଲୋନୀରୁ ହନୁମାନ ବାଟିକାକୁ ସଂଯୋଗ କରୁଥିବା ଅନ୍ୟଏକ ରାସ୍ତା ଅବିଳମ୍ବେ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେକେଟ୍ ରୋଡରୁ ସ୍ଲାଗ୍ ଉଠିବା କାର୍ଯ୍ୟ ଓ ରୋଡର ମରାମତି କାର୍ଯ୍ୟ ବାଇପାସ୍ ରାସ୍ତା ଦେଇ ପୂର୍ବପରି ଯାତାୟତ ସୁବିଧା ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି ।

କାରଖାନାର ଅଧିକାରୀଙ୍କ ଠାରୁ ଏହି ପ୍ରତିଶ୍ରୁତି ପାଇବା ପରେ ବିଧାୟକ ଶ୍ରୀ ତରାଇଙ୍କ ପରାମର୍ଶକ୍ରମେ ଆସନ୍ତାକାଲିର ପ୍ରସ୍ତାବିତ ଗଣଧାରଣାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି । ଏଥିସହ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଯଦି କାର୍ଯ୍ୟ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି ।

Related Post