Thu. Jun 11th, 2026

ନୂଆଦିଲ୍ଲୀର ଅଶୋକା ହୋଟେଲକୁ ମାସିକ ୫୦ ଲକ୍ଷ ଟଙ୍କା ଭଡ଼ା ଦେଉଛି ଲୋକପାଳ କାର୍ଯ୍ୟାଳୟ

203 Views

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ସ୍ଥାୟୀ କାର୍ଯ୍ୟାଳୟ ନ ଥିବାରୁ ସରକାରୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରୁଥିବା ଦେଶର ଶୀର୍ଷ ଦୁର୍ନୀତି-ନିରୋଧୀ ସଂଗଠନ ‘ଲୋକପାଳ’ ସରକାରୀ ମାଲିକାନାରେ ଥିବା ପଞ୍ଚତାରକା ବିଳାସମୟ ଅଶୋକା ହୋଟେଲ୍‌ରେ ଅଫିସ ଚଳାଇବା ବାବଦକୁ ମାସିକ ୫୦ ଲକ୍ଷ ଟଙ୍କା ଦେଉଛି।

ସୂଚନା ଅଧିକାର ଆଇନ ଦ୍ୱାରା ପ୍ରାପ୍ତ ତଥ୍ୟ ଅନୁସାରେ, ଅଶୋକା ହୋଟେଲରେ ଲୋକପାଳ ଅସ୍ଥାୟୀ ଭାବେ କାର୍ଯ୍ୟ ଚଳାଉଛି। ସମୁଦାୟ ମାସିକ ଭଡ଼ା ପ୍ରାୟ ୫୦ ଲକ୍ଷ ଟଙ୍କା ଏବଂ ମାର୍ଚ ୨୨ ତାରିଖ ୨୦୧୯ ରୁ ଅକ୍ଟୋବର ୩୧, ୨୦୨୬ ଯାଏଁ ୩ କୋଟି ୮୫ ଲକ୍ଷ ଟଙ୍କା ଭଡ଼ା ବାବଦରେ ପୈଠ କରାଯାଇଛି। ଏହି ଭଡ଼ା ଧାର୍ଯ୍ୟ କରିଛନ୍ତି ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ୍‌ ଆଣ୍ଡ୍‌ ଟ୍ରେନିଙ୍ଗ୍‌।

ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ପିସି ଘୋଷ ଭାରତର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇବା ପରେ ମାର୍ଚ ମାସରୁ ଲୋକପାଳ କାର୍ଯ୍ୟାଳୟ ଅଶୋକା ହୋଟେଲ୍‌ର ଦ୍ୱିତୀୟ ମହଲାରେ ୧୨ଟି ପ୍ରକୋଷ୍ଠ ନେଇ କାମ କରୁଛି।

ଆର୍‌ଟିଆଇ କର୍ମୀ ଶୁଭମ ଖତ୍ରୀ ଏ ସଂକ୍ରାନ୍ତରେ ଜାଣିବାକୁ ଲୋକପାଳ ସେକ୍ରେଟେରିଏଟ୍‌କୁ ଆବେଦନ କରିଥିଲେ। ଏ ପର୍ଯ୍ୟନ୍ତ ଲୋକପାଳ ୧, ୧୬୦ ଅଭିଯୋଗ ପାଇଲାଣି ଏବଂ ସେଥିରୁ ୧୦୦୦ ଅଭିଯୋଗର ଲୋକପାଳ ଖଣ୍ଡପୀଠ ଶୁଣାଣି କରିଛନ୍ତି।

By amfnews

Related Post