Thu. May 9th, 2024

କୋଣାର୍କର ସୁରକ୍ଷା ଏକମାତ୍ର କାମ୍ୟ ହେଉ

patnaikprasanta1@gmail.com' By Prasanta Patnaik Apr 2, 2018 #Featured
577 Views

ପୃଥିବୀର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଥିବା କୋଣାର୍କ ବା ବ୍ଲାକ୍ ପାଗୋଡ଼ାର ସୌନ୍ଦର୍ଯ୍ୟରେ ପ୍ରାୟ ସମସ୍ତେ ବିମୋହିତ । ୧୩୦୦ ଖ୍ରୀଷ୍ଟାବ୍ଦରେ ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ୱ ସମୟରେ ସୂର୍ଯ୍ୟଦେବଙ୍କ ଲାଗି ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା । ୧୨ ବର୍ଷର ରାଜସ୍ୱ ସାଙ୍ଗକୁ୧୨ଶହ ବଢେଇଙ୍କ କାରିଗରୀ କୌଶଳରେ ଏହି ମନ୍ଦିରଟି ସ୍ଥାପନ ହୋଇପାରିଥିଲା । କୋଣାର୍କ ମନ୍ଦିରର କଳା ତଥା ଭାସ୍କର୍ଯ୍ୟ ପୃଥିବୀର କେଉଁସ୍ଥାନରେ ଦେଖିବାକୁ ମିଳେ ନାହିଁ । ଗ୍ରାନାଇଟ୍ରେ ନିର୍ମିତ ଏହି ମନ୍ଦିରର ଗାତ୍ରରେ ଖୋଦିତ ହୋଇଥିବା ପ୍ରତିମୂର୍ତ୍ତି ଓ ଭାସ୍କର୍ଯ୍ୟ ସତେ ଯେମିତି ଜୀବନ୍ତ ହୋଇପଡିଛନ୍ତି । କୋଣାର୍କ ମନ୍ଦିରର ଚୂଡ଼ାଠାରୁ ପାଦଦେଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ଶିଳ୍ପୀର କଳାଚାତୁରୀର ସ୍ୱାକ୍ଷର ଦେଖିବାକୁ ମିଳିଥାଏ ।

ବିଭିନ୍ନ ଐତିହାସିକ କାରଣରୁ କୋଣାର୍କ ମନ୍ଦିର ତା’ର ମୂଳ ସୌନ୍ଦର୍ଯ୍ୟ ହରାଇଥିବା କାହାରିକୁ ଅବିଦିତ ନାହିଁ । ୧୫୬୮ ମସିହାରେ କଳାପାହାଡ଼ ଦ୍ୱାରା କୋଣାର୍କ ମନ୍ଦିରଟି ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ନାଟ୍ୟମଣ୍ଡପ ଓ ମୂଳମନ୍ଦିରଟି ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ଏହାର ମୁଖଶାଳାଟି କେତେକ ପରିମାଣରେ ସୁରକ୍ଷିତ ଥିଲା । ପରବର୍ତ୍ତୀ କାଳରେ ମୁଖଶାଳା ପ୍ରତି ବିପଦ ଦେଖାଯିବାରୁ ୧୯୪୯ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଏହାର ସୁରକ୍ଷା ଦାୟିତ୍ୱ ହାତକୁ ନିଆଯାଇଥିଲା । ମନ୍ଦିରର ରକ୍ଷଣାବେକ୍ଷଣ କାମ ହାତକୁ ନେଇଥିଲେ ।

କୋଣାର୍କ କେବଳ ପର୍ଯ୍ୟଟନ ସ୍ଥଳୀ ନୁହେଁ । ଓଡ଼ିଶାର ନୃତ୍ୟ, ଗୀତ ଓ ସାହିତ୍ୟରେ କୋଣାର୍କ ବିଜଡିତ । କୋଣାର୍କର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କେତେ ଯେ କବିଙ୍କ ଲେଖନୀରୁ ଝରି ଆସିଛି କବିତା । ତେବେ ପ୍ରସିଦ୍ଧ କବି ସଚ୍ଚି ରାଉତରାୟ ତାଙ୍କ କବିତା “କୋଣାର୍କ”ରେ କୋଣାର୍କକୁ ନେଇ ଲେଖିଛନ୍ତି ।
“ ତମେ ଦେଖିଅଛ ଶିଳାରେ ତା’ର ତ ରମ୍ୟ କଳାର ରୂପ
ମୁଁ ଦେଖିଅଛି ତହିଁ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପ ।”

ଅସଂଖ୍ୟ କବି, ଲେଖକ, ଶିଳ୍ପୀ, ଚିତ୍ରଶିଳ୍ପୀ, ଓ କଳାକାରମାନଙ୍କୁ ପ୍ରେରଣା ଯୋଗାଇ ଆସୁଥିବା କୋଣାର୍କ ମନ୍ଦିର ଗାତ୍ରରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ସବୁ ସାମୁଦ୍ରିକ ଲୁଣି ହାୱା ଏବଂ ଅନ୍ୟାନ୍ୟ ପ୍ରାକୃତିକ କାରଣରୁ ବିପର୍ଯ୍ୟସ୍ତ ହୋଇପଡିବାରୁ ଏହାର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଏହି ମନ୍ଦିରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ଏବଂ ଏହାର ପୂର୍ବ ଐତିହ୍ୟ ଫେରାଇ ଆଣିବା ଦିଗରେ ସଫଳତା ମିଳିପାରି ନାହିଁ ।

କୋଣାର୍କ ମନ୍ଦିରକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟକ ସ୍ଥାନୀୟ ତଥା ରାଜ୍ୟବାହରର ଏବଂ ବିଦେଶୀ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ । ୨୦୧୭ ମସିହାରେ କୋଣାର୍କ ମନ୍ଦିରକୁ ପ୍ରାୟ ୩୯,୩୫୨ଜଣ ବିଦେଶୀ ମାନେ ଆସିଥିବାବେଳେ ଏହା ୨୦୧୬ ଓ ୨୦୧୫ ମସିହାର ୧୪% ଅଧିକ ବିଦେଶୀଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଥିଲା ।

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ ପର୍ଯ୍ୟଟନସ୍ଥଳୀ ଭାବରେ ଏହାର ଅତ୍ୟଧିକ ଗୁରୁତ୍ୱ ଥିବାରୁ ପ୍ରଚାର ପ୍ରସାର କରିବାରେ ବେଶ୍ ସକ୍ରିୟ ହୋଇଛନ୍ତି । ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବାବେଳେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗକୁ ଅଣଦେଖା କରାଯାଉଥିବାର ଅଭିଯୋଗମାନ ଦେଖିବାକୁ ମିଳୁଛି । ବେଳେବେଳେ ପର୍ଯ୍ୟଟକମାନେ ଏଠାରେ ନାହିଁ ନଥିବାର ଅସୁବିଧା ଭୋଗ କରୁଥିବାର ଦେଖାଯାଉଛି । ସ୍ଥାନୀୟ କିଛି ଦୁର୍ବୃତ୍ତମାନଙ୍କ ଦ୍ୱାରା ପର୍ଯ୍ୟଟକମାନେ ନାନା ପ୍ରକାରର ହଇରାଣ ହରକତ ହେଉଥିବାର ଦେଖାଯାଉଛି । ବିଶ୍ୱ ମାନଚିତ୍ରରେ କୋଣାର୍କ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିବାବେଳେ ଏହି କାଳଜୟୀ ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟକମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସମୟର ପରିବର୍ତ୍ତନ ଅନୁଯାୟୀ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନଙ୍କର ରୁଚି ଓ ଆବଶ୍ୟକତା ବଦଳୁଥିବାରୁ ସେମାନଙ୍କୁ କୋଣାର୍କରେ ରହଣିକୁ ଉପଭୋଗ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାର ଆବଶ୍ୟକତା ବହୁ ଦିନ ଧରି ଅନୁଭୂତ ହୋଇଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନଥିଲା । ସୁଖର କଥା କେନ୍ଦ୍ର ପେଟ୍ରୋଲିୟମ୍ ଓ ମାନବ ସମ୍ବଳ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଓଡ଼ିଶା ଦିବସ – ୨୦୧୮ ଦିନ ଏ ଦିଗରେ ଦୃଢ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ଏହା ନିଶ୍ଚିତ ଭାବରେ କୋଣାର୍କ ପ୍ରତି ଅଧିକ ସଂଖ୍ୟକ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ । ପର୍ଯ୍ୟଟକମାନେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ପ୍ରତି ଆକର୍ଷିତ ହୋଇ ଆସୁଥିବା ସମୟରେ ବେଳେବେଳେ କେତେକ ଦୁବୃର୍ତ୍ତ ଓ ଆସାମାଜିକ ବ୍ୟକ୍ତିମାନଙ୍କ ଆକ୍ରମଣର ଶରବ୍ୟ ହେଉଥିବା ସମ୍ପର୍କରେ ଗଣମାଧ୍ୟମରେ ବିଭିନ୍ନ ସମୟରେ ସମ୍ବାଦ ପ୍ରକାଶ ପାଉଛି । ଏହା ନିଶ୍ଚିତ ଭାବରେ ପର୍ଯ୍ୟଟକମାନଙ୍କ ମନରେ କୋଣାର୍କ ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି କରୁଥିବ ଏବଂ ସେମାନେ ଏଠାକୁ ଆସିବା ପାଇଁ କୁଣ୍ଠା ପ୍ରକାଶ କରୁଥିବେ । ଏହାକୁ ଦୃଷ୍ଟିରେ ରଖି କେବଳ କୋଣାର୍କ ନୁହେଁ, ରାଜ୍ୟର ସମସ୍ତ ପର୍ଯ୍ୟଟକ କେନ୍ଦ୍ରରେ ପର୍ଯ୍ୟଟକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସଙ୍ଗେ ସଙ୍ଗେ ସେମାନଙ୍କ ନିରାପତ୍ତା ପ୍ରତି ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

କୋଣାର୍କ ମନ୍ଦିରର ଭୌଗୋଳିକ ଅବସ୍ଥିତି ଏବଂ ସବୁପ୍ରକାର ଋତୁର ତାଡ଼ନା ଏହାର ଅବୟବ ତଥା ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତି ବିପଦ ସୃଷ୍ଟି କରି ଚାଲିଛି । କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତଙ୍କ ମନରେ ଆଶା ଥିଲା ଯେ, ନିଶ୍ଚିତ ଭାବରେ କୋଣାର୍କ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟର ରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇପାରିବ ।

କୋଣାର୍କର ସୂକ୍ଷ୍ମ କାରୁକାର୍ଯ୍ୟ ଉପରେ ଶିଉଳି ଜମି ସେଗୁଡ଼ିକ ବିକୃତ ହୋଇଯାଉଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗ ଶିଉଳି ଛଡ଼ାଇବା ନିମନ୍ତେ ରସାୟନ ସିଞ୍ଚନ କରିବା ସହ ତୀକ୍ଷ୍ଣ ତାର ଥିବା ବ୍ରଶ୍ରେ ଶିଉଳି ଛଡ଼ାଇବା ଲାଗି ଉଦ୍ୟମ କରିବାରୁ ବହୁ ସୂକ୍ଷ୍ମ କାରୁକାର୍ଯ୍ୟ କ୍ରମଶଃ ବିକୃତ ଓ ଲୁପ୍ତ ହେବାକୁ ବସିଛି । ପ୍ରଭାବଶାଳୀ ମୂର୍ତ୍ତିଚୋର ମାନେ ମନ୍ଦିର ଗାତ୍ରରୁ ଅମୂଲ୍ୟ ମୂର୍ତ୍ତି ସବୁ ଚୋରି କରି ନେଇ ବିଦେଶରେ ବିକ୍ରି କରିଦେଉଥିବା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିବାର ଅନ୍ୟତମ କାରଣ । ବିଦେଶରେ ଥିବା କେତେକ ବ୍ୟକ୍ତିଗତ ସଂଗ୍ରହାଳୟରେ ଏଭଳି ମୂର୍ତ୍ତି ସ୍ଥାନିତ ହୋଇ ପ୍ରଦର୍ଶିତ ହେଉଥିବାର ଅଭିଯୋଗ ମଧ୍ୟ ମିଥ୍ୟା ନୁହେଁ ।

କୋଣାର୍କ ମନ୍ଦିର ଗାତ୍ରରୁ ସୂକ୍ଷ୍ମାତିସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୂର୍ତ୍ତିଗୁଡ଼ିକ କ୍ରମେ ଅଦୃଶ୍ୟ ହୋଇ ସେହି ସ୍ଥାନରେ ଖାଲି ପଥର ଖଂଜା ଯାଇ ମନ୍ଦିର ଗାତ୍ରକୁ ଶ୍ରୀହୀନ ଓ ବିକୃତ କରାଯିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଯେଉଁଠାରୁ ଯେଉଁ ମୂର୍ତ୍ତିଟିର ଅବକ୍ଷୟ ହେଉଛି, ସେହି ସ୍ଥାନରେ ସେହିଭଳି ଗୋଟିଏ ନୂତନ ମୂର୍ତ୍ତି କରି ଖଂଜା ଯିବାର ବ୍ୟବସ୍ଥା କରାଯାଉଥିଲେ, ମନ୍ଦିରର ସୌନ୍ଦର୍ଯ୍ୟ ସୁରକ୍ଷିତ ହୋଇପାରୁଥା’ନ୍ତା । ମାତ୍ର ତାହା ଆଇନ ସମ୍ମତ ନୁହେଁ ବୋଲି ପ୍ରତ୍ନତତ୍ତ୍ୱ ବିଭାଗର ତୁଙ୍ଗ କର୍ମକର୍ତ୍ତାମାନେ ଦାବି କରି ଆସୁଛନ୍ତି । କୋଣାର୍କ ମନ୍ଦିରର ଆବଶ୍ୟକୀୟ ସୁରକ୍ଷା ସହ ଏହାର ସୌନ୍ଦର୍ଯ୍ୟର ସୁରକ୍ଷା ନିମନ୍ତେ ଯଦି ପଦକ୍ଷେପ ନିଆନଯାଏ, ତେବେ ଆଗାମୀ କେଇ ବର୍ଷ ମଧ୍ୟରେ କୋଣାର୍କ ଗାତ୍ରରୁ ଅଧିକାଂଶ ଆକର୍ଷଣୀୟ ମୂର୍ତ୍ତି ଲୋପ ପାଇଯାଇ ସେହି ସ୍ଥାନରେ ଖଣ୍ଡିଏ ଲେଖାଏଁ ସାଧା ପ୍ରସ୍ତର ଫଳକ ଦେଖିବାକୁ ମିଳିବ, ଯାହା କେବେ ହେଲେ ଦର୍ଶକମାନଙ୍କୁ ଆକୃଷ୍ଟ କରିବ ନାହିଁ ।

କୋଣାର୍କ ମନ୍ଦିରର ନିକଟବର୍ତ୍ତୀ ଅଞ୍ଚଳରେ ପାହାଡ଼, ପର୍ବତ ନଥିଲା କିମ୍ବା ତ୍ରୟୋଦଶ ଶତାବ୍ଦୀରେ ଭାରୀ ଯାନବାହନ ମଧ୍ୟ ନଥିଲା । ତେଣୁ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ପ୍ରସ୍ତର ନଦୀପଥ ଦେଇ ଆସିଥିବାର ଗବେଷକମାନେ ଦାବି କରୁଛନ୍ତି । ଏହାକୁ ଖଣ୍ଡନ କରାଯିବାର କୌଣସି ଆବଶ୍ୟକତା ନାହିଁ । ଇତିମଧ୍ୟରେ ଆମ ରାଜ୍ୟର ପ୍ରଖ୍ୟାତ ପ୍ରସ୍ତରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଦାବି କରିଛନ୍ତି ଯେ, ତାଙ୍କୁ ସୁଯୋଗ ଦିଆଗଲେ ସେ ଦ୍ୱିତୀୟ କୋଣାର୍କ ତିଆରି କରିପାରିବେ । ଏଥିପାଇଁ ଆମ ରାଜ୍ୟରେ ସୁଦକ୍ଷ ଶିଳ୍ପୀମାନଙ୍କର ଅଭାବ ନାହିଁ ଏବଂ ଏଭଳି ଏକ କୀର୍ତ୍ତି ନିର୍ମାଣ ପାଇଁ ଅର୍ଥର ମଧ୍ୟ ଅଭାବ ରହିବ ନାହିଁ । ଶ୍ରୀ ମହାପାତ୍ରଙ୍କୁ ମୁଁ ୧୯୫୮ ମସିହାରୁ ଜାଣେ । ଏବଂ ତାଙ୍କର ଯୋଗ୍ୟତା ତଥା ଶିଳ୍ପୀମାନଙ୍କୁ ପ୍ରେରଣା ଦେବାର ଦକ୍ଷତାର ସଦୁପଯୋଗ କରି ସେ ହୁଏତ ଦ୍ୱିତୀୟ କୋଣାର୍କ ମନ୍ଦିରଟିଏ ନିର୍ମାଣ କରିପାରିବେ । ମାତ୍ର ୧୩୦୦ ଶତାବ୍ଦୀରେ ବିଶୁ ମହାରଣାଙ୍କ ନେତୃତ୍ୱରେ ନିର୍ମିତ ହୋଇଥିବା କୋଣାର୍କ ମନ୍ଦିରଟି ଯେଉଁ ଐତିହ୍ୟ, ଗାଥା ଓ ଗୌରବ ବହନ କରିଛି, ତାହାର ଉପଯୁକ୍ତ ସୁରକ୍ଷା ଏକ ନୂତନ ମନ୍ଦିର ନିର୍ମାଣଠାରୁ ଯେ ଅଧିକ ଗୁରୁତ୍ୱପୂର୍ଣ୍ଣ ଏ ସମ୍ପର୍କରେ ବିଶ୍ୱର ଯେକୌଣସି ସଚେତନ ନାଗରିକ ବା କଳାପ୍ରେମୀ ଦ୍ୱିମତ ହେବେ ନାହିଁ ।

Related Post