Wed. May 1st, 2024

ଅମୃତ ଯୋଜନା କାର୍ଯ୍ୟକାରୀ ପାଇଁ ବିଏଚ୍ଡି ଅଧିକାରୀଙ୍କୁ ଭେଟିଲା ବିଜେପି

rklsanchar@gmail.com' By J.N. Pradhan Jun 25, 2018 #Featured
190 Views

ରାଉରକେଲା: ଗ୍ରୀଷ୍ମଋତୁ ପୂର୍ବରୁ ସମସ୍ତଙ୍କ ପାଣି ସମସ୍ୟା ଦୂର ହୋଇଯିବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ହୋଇପାରି ନାହିଁ । ଏଥିପାଇଁ ସଭାପତି ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ଏସ୍ଡିଓ ମହେଶ୍ୱର ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

କେନ୍ଦ୍ର ସରକାରଙ୍କ ୨୯୪ କୋଟି ଅମୃତ ଯୋଜନାରେ ରାଉରକେଲା ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ କାର୍ଯ୍ୟର ସ୍ଥାଣୁତା ପାଇଁ ତାହା ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ । ଜଗଦା, ଗୋପବନ୍ଧୁପାଲୀ, ନୟାବଜାର, ନାଲାରୋଡ, କୋଏଲନଗର, ନବକୃଷ୍ଣ ନଗର, କୋଇଲା ଗେଟ୍, ତିଲିକା ନଗର, ହମିରପୁର, ଦେଓଗାଁ ଆଦି ଅନେକ ସ୍ଥାନରେ ବିଶେଷ କରି ବସ୍ତି ଅଞ୍ଚଳମାନଙ୍କରେ ଲୋକଙ୍କ ଜଳକଷ୍ଟ ଦୂର ହୋଇପାରି ନାହିଁ । ଯେଉଁ ପ୍ରକଳ୍ପଗୁଡିକ ପୂର୍ଣ୍ଣାଙ୍ଗ ହୋଇସାରିଛି ତାକୁ ତୁରନ୍ତ ଲୋକାର୍ପଣ କରିବା ଆବଶ୍ୟକ । ଯେହେତୁ ଏହା ଏକ କେନ୍ଦ୍ର ସରକାରଙ୍କ ଯୋଜନା । ତେଣୁ ଏହାର ଉଦ୍ଘାଟନ ଉତ୍ସବକୁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଉଦ୍ଘାଟନ ପାଇଁ ନିମନ୍ତ୍ରଣ କରିବାକୁ ଦାବି କରାଯାଇଥିଲା ।

ଅମୃତ ଯୋଜନା କାର୍ଯ୍ୟର ଅଗ୍ରଗତି ନେଇ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଏସ୍ଡିଓ ଶ୍ରୀ ପ୍ରଧାନ କହିଲେ ଯେ, ଅମୃତ ଯୋଜନାକୁ ଆମେ ୯ଟି ପ୍ରକଳ୍ପରେ ବିଭକ୍ତ କରିଛୁ । ତନ୍ମଧ୍ୟରୁ ଜଗଦା ପ୍ରକଳ୍ପ, ଟ୍ରେଟ୍ମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ, ଗୋପବନ୍ଧୁପାଲୀରୁ ନୟାବଜାର ପ୍ରକଳ୍ପର ୯୦ ଭାଗ କାମ ସମ୍ପୂର୍ଣ୍ଣ ହୋଇସାରିଛି । ଆସନ୍ତା ସପ୍ତାହ ମଧ୍ୟରେ ଗୋପବନ୍ଧୁପାଲୀ ପ୍ରକଳ୍ପକୁ ଚାଲୁ କରାଯିବ ।

ଝାଡତରଙ୍ଗ, ନାଲାରୋଡ ଓ ହମିରପୁର ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । କୋଇଲା ଗେଟରୁ ତିଲିକାନଗର ଏବଂ ଦୁର୍ଗାପୁର ପାହାଡ ପାଖ ସେକ୍ଟର-୭, ୮, ୯ ଓ ଗୋଲଘର ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରାଯିବ । ଅମୃତ ଯୋଜନା ବ୍ୟତୀତ ପାନୀୟ ଜଳ ଯୋଗାଣ ପାଇଁ ସହରୀ ଭିତ୍ତିଭୂମି (ୟୁଆଇଡିଏସ୍ଏସ୍ଏମ୍ଟି) ଯୋଜନାରେ ୮୯ କୋଟି ଅଟ୍ଟକଳରେ ଦେଓଗାଁ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ । କେତେକ ସ୍ଥାନରେ ପାଇପ୍ ବିଛା କାମକୁ ନେଇ ଉପୁଜୁଥିବା ସମସ୍ୟା ପାଇଁ ଶ୍ରୀ ପ୍ରଧାନ ବିଜେପିର ସହଯୋଗ ଲୋଡିଥିଲେ ଏବଂ ବିଜେପି ତରଫରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଥିଲେ ।

କର୍ମକର୍ତ୍ତାମାନଙ୍କ ମଧ୍ୟରେ ବରିଷ୍ଠ ନେତା ନିହାର ରାୟ, ମୁଖପାତ୍ର ଭଗବାନ ରାଉତ, ଗଙ୍ଗାଧର ଦାଶ, ଶଶାଙ୍କ ଜେନା, ବିନ୍ଦର ସିଂ, କୈଳାସ ରାଉତ, ରମାକାନ୍ତ ଜେନା, ପ୍ରବାଳ ବାରିକ, ବିଜୟ ପାଣିଗ୍ରାହୀ, ଯୁଧିଷ୍ଠିର ପଣ୍ଡା, ଲକ୍ଷ୍ମଣ ପରିଡା, ଅଙ୍କୁଶ ବର୍ମା, ହିରୋଜ ରାୟ, ଭଗବାନ ମହାପାତ୍ର, ରୋସନ ସାହୁ, ସୁଶୀଳା ଶର୍ମା, ସେକ୍ ମୁଜାହିଦ, ବାବୁ ବିଶ୍ୱାଳ, ଜେ.ସି. ସିଂ, ଆର୍. ରମେଶ ରାଜା, ମୁନା ସାହୁ, ସଂଯୁକ୍ତା ମିଶ୍ର, ମନୋଜ ସିଂ, ସରବଜିତ ସାହା, ରାହୁଲ ଶୁକ୍ଳା, ଦୀପକ ସାହୁ, ନାଜିମା ବେଗମ, ନିଖିଲ ସାହୁ, କିସାନ ଟେଟେ, ଜଗଜିତ ସିଂ, ଆଶିଷ ଶର୍ମା, ଗୌତମ, ଅଜୟ, ବିଶାଳ ସାହୁ, ଇନ୍ଦ୍ର ସିଂ, ଭାଲୁ ସାହୁ ପ୍ରମୁଖ ସାମିଲ୍ ଥିଲେ ।

Related Post