Sun. Jul 26th, 2026

ସିବିଆଇ ନିର୍ଦ୍ଦେଶକ ପଦବୀରୁ ବଞ୍ଚିତ ହେବା ପରେ ରୀନା ମିତ୍ରଙ୍କୁ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ପଶ୍ଚିମବଙ୍ଗ ସରକାର

392 Views

କୋଲକାତା/ ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସର୍ବପ୍ରଥମ ମହିଳା ନିର୍ଦ୍ଦେଶକ ହେବାରୁ ବଞ୍ଚିତ ହେବା ପରେ ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରୀନା ମିତ୍ରଙ୍କୁ ପଶ୍ଚିମବଙ୍ଗ ସରକାର ନିଜର ଆଭ୍ୟନ୍ତରୀଣ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।

ସିବିଆଇର ନୂତନ ନିର୍ଦ୍ଦେଶକ ପଦବୀ ନିମନ୍ତେ ଯେଉଁ ୧୨ ଜଣ ବରିଷ୍ଠ ଆଇପିଏସ୍‌ ଅଫିସରମାନଙ୍କର ନାମକୁ କ୍ଷୁଦ୍ର ତାଲିକାଭୁକ୍ତ (ସର୍ଟ ଲିଷ୍ଟେଡ୍‌) କରା ଯାଇଥିଲା, ସେଥିରେ ସର୍ବାଗ୍ରେ ରହିଥିଲେ ରୀନା ମିତ୍ର। ତେବେ, ସିବିଆଇ ନିର୍ଦ୍ଦେଶକ ଚୟନ ବସିଥିବା ପ୍ରଥମ ଚୟନ କମିଟି ବୈଠକରେ କୌଣସି ନିଷ୍ପତ୍ତି ନିଆ ନଯାଇ ଦ୍ୱିତୀୟ ବୈଠକ ପାଇଁ ତାରିଖ ସ୍ଥିର ହେବା ପରେ ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ଦୌଡ଼ରୁ ବାଦ୍‌ ପଡ଼ି ଯାଇଥିଲେ ରୀନା ମିତ୍ର। କାରଣ, ଦ୍ୱିତୀୟ ଚୟନ କମିଟି ବୈଠକ ବସିବାର ଦିନକ ପୂର୍ବରୁ ଅବସର ଗ୍ରହଣ କରିଥିଲେ ରୀନା ମିତ୍ର।

ଯଦି ପ୍ରଥମ ଚୟନ କମିଟି ବୈଠକରେ ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ନାମ ଚୂଡ଼ାନ୍ତ ହୋଇଥାନ୍ତା, ତେବେ ନିଶ୍ଚିତ ରୂପେ ରୀନା ମିତ୍ର ଏହି ପଦବୀ ପାଇଁ ମନୋନୀତ ହୋଇ ଥାଆନ୍ତେ। ଖୋଦ୍‌, ରୀନା ମିତ୍ର ଅଭିଯୋଗ କରି କହିଛନ୍ତି ଯେ କେବଳ ମାତ୍ର ତାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦବୀ ଦୌଡ଼ରୁ ବାଦ୍‌ ଦେବା ପାଇଁ ଚୟନ କମିଟିର ପ୍ରଥମ ବୈଠକରେ ନାମ ଚୂଡ଼ାନ୍ତ ନ ହୋଇ ଦ୍ୱିତୀୟ ଚୟନ କମିଟି ବୈଠକ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।

By amfnews

Related Post