Mon. Apr 27th, 2026

ଚନ୍ଦ୍ରଭାଗା ବେଳାଭୂମିରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ, ପୁଣି ୨୦ ମୃତଦେହ ଉଦ୍ଧାର

406 Views

କୋଣାର୍କ : ଚନ୍ଦ୍ରଭାଗା ଉପକୂଳରେ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ବନ୍ଦ ହେବାର ନାଁ ନେଉନି। ପ୍ରତି ଦିନ ମାଳମାଳ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁକୁ ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ମାତ୍ର ଏ ଦିଗରେ ବନବିଭାଗ କିମ୍ବା ମତ୍ସ୍ୟବିଭାଗ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି। ଆଜି ଚନ୍ଦ୍ରଭାଗା ଠାରୁ ଇକୋ ରିଟ୍ରିଟ୍‌ ମଧ୍ୟରେ ୨୦ରୁ ଅଧିକ ଅଲିଭ୍‌ ରିଡ୍‌ଲେଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଇଁଛଙ୍କ ମୃତ୍ୟୁହାର ବନ୍ଦ କରିବାକୁ ପଦକ୍ଷେପ ନେବା ପରିବର୍ତ୍ତେ ବନବିଭାଗ ଉକ୍ତ ମୃତଦେହଗୁଡ଼ିକୁ ଲୁଚାଛପାରେ ପୋତି ଦେଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସଂପ୍ରତି ଅଲିଭ୍‌ ରିଡ୍‌ଲେଙ୍କ ମିଳନ ଓ ଅଣ୍ଡା ଦେବା ଋତୁ ଚାଲିଛି। ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏନେଇ ଆଇନ ମଧ୍ୟ ପ୍ରଣୟନ କରାଯାଇଛି। ସମୁଦ୍ରର ନିଷିଦ୍ଧାଞ୍ଚଳରେ ଟ୍ରଲର୍‌ ଓ ମୋଟରଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ବନବିଭାଗ, ମତ୍ସ୍ୟବିଭାଗ ଓ ସାମୁଦ୍ରିକ ପୁଲିସକୁ ନେଇ ନିୟମିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରିବାର ନିର୍ଦ୍ଦେଶ ରହିଛି। ମାତ୍ର ଚନ୍ଦ୍ରଭାଗା ଉପକୂଳରେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମାଛ ଧରିବା ପାଇଁ ପ୍ରତିଦିନ ଚନ୍ଦ୍ରଭାଗା ଉପକୂଳରେ ମାଳମାଳ ଟ୍ରଲର୍‌ ନିଷିଦ୍ଧାଞ୍ଚଳରେ ବୁଲୁଛି। ଫଳରେ ଟ୍ରଲର୍‌ର ପଙ୍ଖା ସଂସ୍ପର୍ଶରେ ଆସି ଅଲିଭ୍‌ ରିଡେଲ୍‌ଙ୍କ ମୃତ୍ୟୁ ହେଉଛି। ଟ୍ରଲର୍‌ ମାଲିକ ଓ ସୁରକ୍ଷା ଦାୟିତ୍ବରେ ଥିବା ବିଭାଗମାନଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ପାଇଁ ବେଆଇନ ଟ୍ରଲର୍‌ ଚଳାଚଳ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି।

By amfnews

Related Post