Mon. Apr 27th, 2026

ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ; ଜାରି ହେଲା ନୂତନ ‘ମୃତ୍ୟୁ ପରଓ୍ଵାନା’

219 Views

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ଆଜି ଦିଲ୍ଲୀର ପାତିଆଲା ହାଉସ୍‌ ଅଦାଲତ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି କରିଛନ୍ତି। ଆଜି ଅଦାଲତଙ୍କ ପକ୍ଷରୁ ଜାରି କରା ଯାଇଥିବା ନୂତନ ‘ମୃତ୍ୟୁ ପରଓ୍ଵାନା’ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀରେ ଝୁଲାଇବା ପାଇଁ ଦିଲ୍ଲୀ ପାତିଆଲା ହାଉସ୍‌ ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆଗତ କରା ଯାଇଥିବା ଏହି ମାମଲାର ଶୁଣାଣିକୁ ଆଜି ଅଦାଲତ ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଅପକରାହ୍ଣରେ ବିଚାରପତି ଏହି ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ଏହି ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି।

ଏହି ମାମଲାର ଶୁଣାଣି କାଳରେ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ଆଜିର ଶୁଣାଣି କାଳରେ ଅଦାଲତଙ୍କୁ କହିଥିଲା ଯେ ସେ ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଆଗତ କରିବାକୁ ଚାହୁଁଛି। ତେବେ, ଅଦାଲତ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ସେମାନଙ୍କୁ ନିକଟରେ ଉପଲବ୍ଧ ରହିଥିବା ସମସ୍ତ ନ୍ୟାୟିକ ପ୍ରକ୍ରିୟାକୁ ଶେଷ କରିବାକୁ ୭ ଦିନର ଯେଉଁ ସମୟ କଣ୍ଟ ଦେଇଥିଲେ ତାହା ଗତ ଫେବ୍ରୁଆରି ୧୨ ତାରିଖରେ ଶେଷ ହୋଇ ଯାଇଛି। ତେଣୁ, ସେମାନଙ୍କର ଆଉ କୌଣସି ପ୍ରକାରର ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବିଚାରପତି କହିବା ସହ ଏହି ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଥିଲେ।

By amfnews

Related Post