Sun. Sep 13th, 2026

୬୬ ବର୍ଷ ବୟସରେ ପାଦ ଦେଲେ ବଲିଉଡ୍‌ର ସୁପ୍ରସିଦ୍ଧ ନାୟିକା ରେଖା

555 Views

ମୁମ୍ବାଇ: ଆଜି(ଅକ୍ଟୋବର ୧୦) ତାରିଖରେ ବଲିଉଡ୍‌ର ସୁପ୍ରସିଦ୍ଧ ନାୟିକା ରେଖାଙ୍କ ଜନ୍ମଦିନ। ଆଜି ୬୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଅଭିନେତ୍ରୀ ରେଖା। ୬୬ ବର୍ଷ ବୟସରେ ମଧ୍ୟ ଖୁବ୍ ଆକର୍ଷଣୀୟ ଦିଶୁଥିବା ରେଖା ନିଜର ରୂପଚର୍ଯ୍ୟା ଲାଗି ବଲିଉଡରେ ବେଶ୍ ପ୍ରସିଦ୍ଧ। ୬୦ ଦଶକରୁ ନିଜର ଅଭିନୟ କରିସ୍ମାରେ ଦର୍ଶକଙ୍କ ମନ ଜିଣି ଆସିଥିବା ରେଖା ବହୁ ସଫଳ  ତେଲୁଗୁ, ତାମିଲ ଓ ହିନ୍ଦୀ ସିନେମାରେ ନାୟିକା ଭାବେ ଉଭା ହୋଇଛନ୍ତି।

ସୁଶ୍ରୀ ରେଖାଙ୍କ ଅସଲ ନାଁ ଭାନୁରେଖା ଗଣେଶନ୍ । ବ୍ୟକ୍ତିଗତ ଜୀବନ ହେଉ କିମ୍ବା ପେସା, ରେଖା ସବୁବେଳେ ଚର୍ଚ୍ଚାରେ ରହିବା ସହ ଖୁବ୍ ସଂଘର୍ଷ ମଧ୍ୟ କରିଛନ୍ତି । ୧୯୫୪ ଅକ୍ଟୋବର ୧୦ରେ ଚେନ୍ନାଇରେ ଜନ୍ମ ହୋଇଥିବା ରେଖାଙ୍କ ପିତା ପ୍ରସିଦ୍ଧ ତାମିଲ୍ ଅଭିନେତା ଜେମନି ଗଣେଶନ୍ ଏବଂ ମାତା ପୁଷ୍ପାବଳୀ ତେଲୁଗୁ ଅଭିନେତ୍ରୀ ଥିଲେ । ପିଲାବେଳୁ ହିଁ ବାପାଙ୍କ ଠାରୁ ଦୂରେଇ ରହୁଥିବା ରେଖା ଏକ ସାକ୍ଷାତକାରରେ କହିଥିଲେ , ମୋ ଜୀବନରେ ଫାଦର୍ ଶବ୍ଦର ଅର୍ଥ କେବଳ ଗୀର୍ଜାର ଫାଦର , ବ୍ୟକ୍ତିଗତ ଜୀବନରେ ମୁଁ ଏହି ଶବ୍ଦର ଅର୍ଥ ହିଁ ଜାଣିନାହିଁ ।

ପ୍ରଥମ ଥର ୧୯୬୬ ରେ ତେଲୁଗୁ ସିନେମା “ରଙ୍ଗୁଲା ରତ୍ନମ୍”ରୁ ଅଭିନୟ ଆରମ୍ଭ କରିଥିବା ରେଖା ଏହି ସିନେମାରେ ଶିଶୁ କଳାକାର ରୂପେ ନଜର ଆସିଥିଲେ । ରେଖା କେବେ ବି ସିନେମାରେ ଅଭିନୟ କରିବାକୁ ଚାହୁଁ ନଥିଲେ କିନ୍ତୁ ଘରର ଆର୍ଥିକ ସ୍ଥିତି ଖରାପ ହେବାରୁ ତାଙ୍କୁ ଏହି ପେସାକୁ ଆପଣାଇବାକୁ ପଡିଥିଲା । କିଛି ସାଉଥ୍ ସିନେମାରେ କାମ କରିବା ପରେ ସେ ମୁମ୍ବାଇ ଚାଲିଆସିଥିଲେ ଏବଂ ହିନ୍ଦୀ ସିନେମାରେ ଭାଗ୍ୟ ପରୀକ୍ଷା କରିଥିଲେ । ମୁମ୍ବାଇରେ ଖୁବ୍ ସଂଘର୍ଷ କରିବା ପରେ ସେ “ସାବନ୍ ଭାଦୋ” (୧୯୭୦) ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ କଲେ ଏବଂ ରାତାରାତି ଷ୍ଟାର୍ ବନି ଯାଇଥିଲେ । ପ୍ରେମ ଏବଂ ବିବାହକୁ ନେଇ ମଧ୍ୟ ରେଖା ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି । ଅମିତାଭ୍ ବଚ୍ଚନଙ୍କ ସହ ପ୍ରେମସଂପର୍କକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ ।

By amfnews

Related Post