Thu. May 14th, 2026

୬.୬ କୋଟିର ଗଞ୍ଜେଇ ଗଛ ପୋଡ଼ାଗଲା

206 Views

ରା.ଉଦୟଗିରି,ନଭେମ୍ବର,୨୯: କିଛିଦିନ ତଳେ ନୂଆଗଡ ବ୍ଲକ୍‌ ଅନୁଗୁରୁ ପଞ୍ଚାୟତର କେବଳ ଗୋଟିଏ ଗ୍ରାମରୁ ୭କୋଟିରୁ ଉର୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ପୋଡ଼ା ଯାଇଥିଲା। କିଛିଦିନ ବ୍ୟବଧାନରେ ପୁଣିଥରେ ଆଜି ରା.ଉଦୟଗିରି ଅବକାରୀ ବିଭାଗ, ପୁଲିସ୍‌ ଓ ଜଙ୍ଗଲ ବିଭାଗର ମିଳିତ ଚଢାଉରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ପୋଡ଼ାଯାଇଛି। ଏହାର ଆନୁମାନିକ ମୂଲ୍ୟ ୬ କୋଟି ୬୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ନୂଆଗଡ଼ ବ୍ଲକ୍‌ କିରାମା ପଞ୍ଚାୟତସ୍ଥ ଆମ୍ବାଜାରୀ ଗ୍ରାମରେ ଆଜି ଏହି ଚଢାଉ କରାଯାଇଥିଲା। ସମୁଦାୟ ୫୫.୫ଏକର ଜମିରେ ପାକଳ ଅବସ୍ଥାରେ ଥିବା ୬୬ହଜାର ଗଛକୁ ପୋଡ଼ି ନଷ୍ଟ କରି ଦିଆଯାଇଛି। ୫୫.୫ ଏକର ଜମିରୁ ୩୩ଏକର ପୁଲିସ ଷ୍ଟାଫ୍ ପୋଡ଼ିଥିବା ବେଳେ ୨୨.୫ଏକର ଜମିର ଗଞ୍ଜେଇ ଗଛ ଅବକାରୀ ବିଭାଗ ପୋଡ଼ଥିଲେ। ଗୋଟିଏ ଗୋଟିଏ ଗଛର ଉଚ୍ଚତା ୧୦ଫୁଟରୁ ଅଧିକ ଥିଲା। ଗଞ୍ଜେଇ ବଣ ଭିତରେ ଯିଏ ପଶୁଥିଲା ସିଏ ହଜିଯାଉଥିଲା। ଅଞ୍ଚଳରେ ଗଞ୍ଜେଇ ଚାଷର ପ୍ରାବଲ୍ୟତା ଏଥିରୁ ଅନୁମାନ କରାଯାଇପାରେ।

ଏହାର ପରିମାଣ ୬କୋଟି ୬୦ଲକ୍ଷ ହେବ ବୋଲି ଅବକାରୀ ବିଭାଗ ଠାରୁ ସୂଚନା ମିଳିଛି। ଗଞ୍ଜେଇ ଚଢାଉ ଓ ପୋଡି ସମୟରେ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିଲେ ନୂଆଗଡ ତହସିଲଦାର ପ୍ରଫୁଲ୍ଲ କୁଜୁର। ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ, ଇନ୍ସପେକ୍ଟର ପଦ୍ମଚରଣ ସାହୁ, ରା.ଉଦୟଗିରି ଏସ୍‌ଡିପିଓ ଅନୀଲ କୁମାର ପ୍ରଧାନ, ଥାନାଧିକାରୀ ଗୋପୀନାଥ ପ୍ରଧାନ, ରା.ଉଦୟଗିରି ଅବକାରୀ ଇନ୍‌ଚାର୍ଜ ରବୀନ୍ଦ୍ର ନାଥ ପ୍ରଧାନ, କାଶୀନଗର ଅବକାରୀ ଇନ୍‌ଚାର୍ଜ ଚନ୍ଦ୍ରଶେଖର ପଢିଆରୀ ପ୍ରମୁଖଙ୍କ ସମେତ ଶତାଧିକ କର୍ମଚାରୀ ଏଥିରେ ଭାଗ ନେଇଥିଲେ।

By amfnews

Related Post