Mon. Oct 5th, 2026

‘୪ ହଜାର ଟଙ୍କା ଲାଗି ପୁତୁରାକୁ ବିକି ଦେଲୁ’

202 Views

ଖୋର୍ଦ୍ଧା : “ଟଙ୍କା ଆବଶ୍ୟକ ହେଲା। ତେଣୁ ପୁତୁରାକୁ ମାତ୍ର ୪ ହଜାର ଟଙ୍କାରେ ବିକୁ ଦେଲୁ।” ଏ କଥା ନିଜେ ସ୍ୱୀକାର କରିଛନ୍ତି ୧୨ ଦିନ ହେଲା ନିଖୋଜ ଥିବା ଜଣେ ବାଳକଙ୍କ ମଉସାମାଉସୀ। ଏନେଇ ଏକ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ପଦାକୁ ଆସିଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ।

ଘରୁ ରାଗି ପଳାଇ ଆସିଥିବା ୧୫ ବର୍ଷର ବାଳକକୁ ନିରାକାରପୁରର କିରଣବାଳା ମାନସୀ ଓ ବୈଷ୍ଣବ ଚରଣ ଦାସ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି। ପୁଲିସ୍‌ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଥିଲେ ମଧ୍ୟ ପିଲାଟିକୁ ସେମାନେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁ କିମ୍ବା ଫୋନ୍‌ ନମ୍ବର ଦେଇ ପାରୁ ନାହାନ୍ତି।

ସୂଚନା ଅନୁଯାୟୀ, ଜଟଣୀର ଗଜପତି ନଗରରେ ରହୁଥିବା ସୁବାସ ଚନ୍ଦ୍ର ନାୟକ ରାଜା ବଜାରରେ ବ୍ୟବସାୟ କରନ୍ତି । ଗତ  ୩ ତାରିଖ ରାତିରେ ତାଙ୍କର ଏକମାତ୍ର ପୁଅ ସତ୍ୟନାରାୟଣ ଟ୍ୟୁସନ୍‌ରୁ ଫେରିଥିଲେ। ମାତ୍ର ଘରକୁ ଫେରିବାରେ କାହିଁକି ବିଳମ୍ବ ହେଲା ପଚାରିବାରୁ ସେ ରାଗି ପଳାଇଥିଲେ। ଘରୁ ପଳାଇ ଯାଇ ସେ ତାଙ୍କ ମଉସାମାଉସୀଙ୍କ ଘରେ ୪ ଦିନ ରହିଥିଲେ। ମାତ୍ର ଟଙ୍କା ଆବଶ୍ୟକ ଥିବାରୁ ତାଙ୍କ ମଉସା ତାଙ୍କୁ ଯାଜପୁର ନେଇ ବିକ୍ରି କରି ଦେଇଥିଲେ। ତାଙ୍କ ମାଉସୀ ପୁଲିସ୍ ସମ୍ମୁଖରେ ଏ କଥା କହିଛନ୍ତି। ପୁଲିସ୍‌ର ଏକ ଟିମ୍‌ ବୈଷ୍ଣବଙ୍କୁ ନେଇ ଯାଜପୁର ସମେତ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ ସତ୍ୟନାରାୟଣଙ୍କର ପତ୍ତା ମିଳିପାରିନି। ଫଳରେ ତାଙ୍କ ବାପାମା’ ଭାରି ଚିନ୍ତାରେ ଅଛନ୍ତି।

By amfnews

Related Post