Fri. Apr 24th, 2026

ଶାହୀନବାଗରେ ୧୪୪ ଧାରା ଜାରି ସହ ବ୍ୟାପକ ପୁଲିସ ମୁତୟନ

173 Views

ନୂଆଦିଲ୍ଲୀ  :  ରବିବାର ଦିନ ନୂଆଦିଲ୍ଲୀର ଶାହୀନବାଗ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଏ ସଂକ୍ରାନ୍ତରେ ଯୁଗ୍ମ ପୁଲିସ କମିସନର୍‌ ଡିସି ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରତିଷେଧ ବ୍ୟବସ୍ଥାସ୍ୱରୂପ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପ୍ରୀତିକର ପରିସ୍ଥିତି ପ୍ରତିରୋଧ କରିବା ହେଉଛି ଆମର ଲକ୍ଷ୍ୟ।

ମିଳିଥିବା ସୂଚନା ଅନୁସାରେ, ୧୪୪ ଧାରା ଜାରି ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଅନ୍ୟୂନ ୧୦୦୦ ଯବାନ ଏବଂ ୧୨ କମ୍ପାନି ପାରାମିଲିଟାରି ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ପୁଲିସ ସହ ଚାରିଟି ପୁଲିସ ଜିଲ୍ଲାରୁ ୧୦୦ ଲେଖାଏଁ ପୁଲିସ ମଧ୍ୟ ଶାହୀନବାଗ ଅଞ୍ଚଳରେ ମୁତୟନ କରାଯାଇଛି।

ସେ ଅଞ୍ଚଳରେ ଏକତ୍ର ନ ହେବା ସହ ପ୍ରତିବାଦ ବନ୍ଦ କରିବାକୁ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି। ଏଇ ଆଦେଶ ଉଲ୍ଲଂଘନକାରୀଙ୍କ ବିପକ୍ଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାବନୀ ଦେଇଛି।

ଆଜି ଶାହୀନବାଗ ରାସ୍ତା ଅବରୋଧ ହଟାଇବାକୁ ହିନ୍ଦୁ ସେନା ନାମକ ଏକ ଦକ୍ଷିଣପନ୍ଥୀ ସଂଗଠନ ଡାକରା ଦେଇଥିବାରୁ ପୁଲିସ ସେଠାରେ ଏଭଳି ପଦକ୍ଷେପ ଗ୍ରହଣ କରିଛି। କିନ୍ତୁ, ପୁଲିସର ହସ୍ତକ୍ଷେପ ପରେ ସେମାନେ ଡାକରା ପ୍ରତ୍ୟାହାର କରିନେଇଛନ୍ତି।

By amfnews

Related Post