Sat. Apr 25th, 2026

ମୋବାଇଲ୍‌ ଛଡ଼ାଇ ନ ପାରିବାରୁ ଗୁଳି ମାରିଲେ

182 Views

ପୁରୀ : ସାଇକେଲ୍‌ରେ ଯାଉଥିବା ଛାତ୍ରଙ୍କଠାରୁ ମୋବାଇଲ୍‌ ଛଡ଼ାଇବାରେ ବିଫଳ ହେବା ପରେ ଗୁଳି ମାରିଲେ ଦୁର୍ବୃତ୍ତ।  ଗତକାଲି ବିଳମ୍ବିତ ରାତିରେ ପୁରୀ ହେରାଗୋହରୀ ସାହି ବୋର୍ଡିଂ ଛକ ନିକଟରେ ଘଟିଛି ଏହି ଘଟଣା। ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀ ଗତକାଲି ବିଳମ୍ବିତ ରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍‌ରେ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ସେମାନେ ଜନ୍ମେଜୟଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ଜନ୍ମେଜୟଙ୍କ ପାପୁଲିରେ ବାଜିଛି।

ଏ ଖବର ପାଇବା ପରେ ରାତିରେ ବହୁ ସମୟ ଧରି ଆୟୁର୍ବେଦ କଲେଜର ଛାତ୍ରଛାତ୍ରୀମାନେ ଭିଆଇପି ରୋଡ୍‌ରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସେମାନେ ଦାବି କରିଥିଲେ। ଫଳରେ ଦୀର୍ଘ ସମୟ ପର୍ଯନ୍ତ ସେଠାରେ ଉତ୍ତେଜନା ଦେଖାଦେଇଥିଲା।

ଏ ଘଟଣା ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post