Sat. Apr 25th, 2026

ପୁଣି ଜଣେ କରୋନା ସନ୍ଦିଗ୍ଧ ଏସ୍‌ସିବିରେ ଭର୍ତ୍ତି

204 Views

କଟକ : ଗତକାଲି ବିଳମ୍ବିତ ରାତିରେ SCBରେ ପୁଣି ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି ।  ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି । ସେ  ହଂକଂରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ । କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ । ଏବେ SCBରେ ମୋଟ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି ।

ରାଜ୍ୟ  ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ୧୧ଜଣ ସନ୍ଦିଗ୍ଧଙ୍କୁ ଅବଜରଭେସନରେ ରଖାଯାଇଛି । ସମୁଦାୟ ୬ଜଣ ସନ୍ଦିଗ୍ଧଙ୍କଠାରୁ ରକ୍ତନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫ଟି ନେଗେଟିଭ ରିପୋର୍ଟ ଆସିଛି। ଆଉ ଗୋଟିଏ ରିପୋର୍ଟ ଏଯାଏ ମିଳିପାରିନି । ପୁଣି  ବିଳମ୍ବିତ ରାତିରେ ଜଣେ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବାରୁ ତାଙ୍କ ରକ୍ତ ନମୁନା ପରୀକ୍ଷା  ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହେବ।

କରୋନା ଯୋଗୁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିବା ବେଳେ ଏହାର ମୁକାବିଲା ନିମନ୍ତେ ରାଜ୍ୟ ସରକାର ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଯାଏ ଓଡ଼ିଶାରେ କେହି ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସୂଚନାଯୋଗ୍ୟ, କରୋନାକୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏଥିରେ ମୃତକଙ୍କ ସଂଖ୍ୟା ୪୯୨ ପାର୍ କରିଛି । କେବଳ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୪୨୫ । ସେପଟେ ୨୫ଦେଶକୁ ବ୍ୟାପିଲାଣି ଏହି ଭାଇରସ୍ । କେରଳରେ  ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା ନିମନ୍ତେ ସରକାରଙ୍କ ଚିନ୍ତା ବଢ଼ିଛି।

By amfnews

Related Post