Sat. Apr 25th, 2026

ମେଲବର୍ଣ୍ଣ ଟେଷ୍ଟ: ପୂଜାରାଙ୍କ ଶତକ, କୋହଲି ଶତକରୁ ବଞ୍ଚିତ, ଭାରତ ୨୯୩/୩

248 Views

ମେଲବର୍ଣ୍ଣର୍, ଡିସେମ୍ବର ୨୭ : ମେଲବର୍ଣ୍ଣର୍ କ୍ରିକେଟ୍‌ ଗ୍ରାଉଣ୍ଡରେ ବକ୍ସିଂ ଡେ’ ଟେଷ୍ଟ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆ ବୋଲିର ଦୃଢ଼ ଜବାବ ଦେଇଛି। ଭାରତ ପ୍ରଥମ ଦିନ ସ୍କୋର ୨୧୫/୨ରୁ ଆଜି ଖେଳ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ସୁଦ୍ଧା ଅଷ୍ଟ୍ରେଲିଆକୁ କୌଣସି ସୁଯୋଗ ଦେଇ ନାହିଁ। ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାର ମେଲବର୍ଣ୍ଣ ଗାଉଣ୍ଡରେ ନିଜ ଟେଷ୍ଟ କ୍ୟାରିୟରର ୧୭ ତମ ଶତିକ ହାସଲ କରିଛନ୍ତି।

ଅଧିନାୟକ ବିରାଟ କୋହଲିଙ୍କ ସହିତ ତୃତୀୟ ଓ୍ଵିକେଟ ଯୋଡ଼ିରେ ବ୍ୟାଟିଂ କରୁଥିବା ପୂଜାରା ଲିୟନଙ୍କ ବଲରେ ଚୌକା ମାରି ତାଙ୍କ ଶତକ ପୂରଣ କରିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ବଢ଼ିଆ ବ୍ୟାଟିଂ କରିଛନ୍ତି। କୋହଲି ଗତକାଲିର ଅପରାଜିତ ୪୭ ରନ୍‌ରୁ ଖେଳ ଆରମ୍ଭ କରି ଥିଲେ। ସେ କୁମିନସଙ୍କ ବଲରେ ୩ ରନ୍‌ ସଂଗ୍ରହ କରି ଖେଳର ୯୨ ତମ ଓଭରରେ ନିଜ ଟେଷ୍ଟ କାରିୟରର ୨୦ତମ ଅର୍ଧଶତକ ହାସଲ କରିଥିଲେ।

ତେବେ ଅଷ୍ଟ୍ରେଲିଆ ଅଧିନାୟକ ବାରମ୍ବାର ବୋଲର ପରିବର୍ତ୍ତନ କରିଥିଲେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ତେବେ ମଧ୍ୟାହ୍ନ ଭୋଜନ ପରେ କୋହଲି (୮୨ ରନ)ଷ୍ଟାର୍କଙ୍କ ବଲରେ ଫିଞ୍ଚଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଛନ୍ତି। ବର୍ତ୍ତମାନ ପୂଜାରା ୧୦୫ ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ତାଙ୍କ ସହିତ ଆସି ଯୋଗ ଦେଇଛନ୍ତି ଉପଅଧିନାୟକ ଅଜିଙ୍କ୍ୟ ରାହାନେ।

By amfnews

Related Post