Fri. Apr 24th, 2026

ମୁହଁରେ ଅଖା ଘୋଡ଼େଇ ବ୍ୟବସାୟୀଙ୍କୁ ଲୁଟ୍‌

296 Views

ପୁରୁଣା ଭୁବନେଶ୍ୱର , ୧ ଜାନୁଆରୀ : ମୁହଁରେ ଅଖା ଘୋଡ଼େଇ ପ୍ରାଣାନ୍ତକ ଆକ୍ରମଣ କରିବା ସହ ଜଣେ ବ୍ୟବସାୟୀଙ୍କଠାରୁ ସୁନା ଚେନ୍ ଓ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ରାଧାକୃ୍ଷ୍ଣ ନଗରର ମୈଥିଳୀ ଶରଣ ମହାନ୍ତି। ସୂଚନା ଅନୁଯାୟୀ ମୈଥିଳୀ ରାତି ପ୍ରାୟ ସାଢ଼େ ୧୨ଟାରେ ଭୋଜି ଖାଇ ତାଙ୍କ ବୋଲେରୋ (ଓଡି୦୨ଜେଡ୍୪୫୦୦)ରେ ଫେରୁଥିବା ବେଳେ ୪ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ।

ସାନେଟୋରିଅମ୍ ଛକ ନିକଟରେ ଦୁର୍ବୃତ୍ତମାନେ ମୈଥାଳୀଙ୍କ ଗାଡ଼ିକୁ ଅଟକାଇଥିଲେ। ସେ ଗାଡ଼ ରଖିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କ ମୁହଁରେ ଅଖା ଘୋଡ଼େଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମୁହଁ ଓ ମୁଣ୍ଡକୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ବେକରୁ ୬୮ଗ୍ରାମର ସୁନା ଚେନ୍ ଓ ୭୧ହଜାର ଟଙ୍କା ନେଇଯାଇଥିଲେ। ଆଜି ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ ନିଜ ନିଜ ଭିତରେ ଲିଙ୍ଗୁ, ଲୁଲୁ ଓ ପ୍ରତୀକ ବୋଲି ଡକାଡକି ହେଉଥିବା ସହ ଏକ କାର ନେଇ ଆସିଥିବା ପୁଲିସ ଜାଣିବାକୁ ପାଇଛି।

By amfnews

Related Post