Sat. Apr 25th, 2026

ମାଗଣା ଇନ୍‌କମିଂ କଲ୍‌ର ଯୁଗ ଶେଷ; ଏଣିକି ଇନ୍‌କମିଂ କଲ୍‌ ପାଇଁ ଦେବାକୁ ପଡ଼ିବ ଦେୟ

191 Views

ନୂଆଦିଲ୍ଲୀ, ୨୪/୧୧ : ମାଗଣା ଇନ୍‌କମିଂ କଲ୍‌ର ଯୁଗ ଏବେ ଶେଷ ହେବାକୁ ଯାଉଛି। କାରଣ, ଜୀବନକାଳ ପାଇଁ ମାଗଣା ଇନ୍‌କମିଂ କଲ୍‌ର ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେବାପାଇଁ ଟେଲକମ୍‌ କମ୍ପାନିମାନେ ଯେଉଁ ଘୋଷଣା କରିଥିଲେ, ତାହାକୁ ଏବେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସାଂପ୍ରତିକ ପ୍ରତିଦ୍ୱନ୍ଦ୍ୱତା ମୂଳକ ଟେଲକମ୍‌ ବଜାରରେ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଏୟାରଟେଲ୍‌ ଓ ଭୋଡାଫୋନ୍‌- ଆଇଡିଆ କମ୍ପାନି ଏଣିକି ଇନ୍‌କମିଂ କଲ୍‌ ପାଇଁ ଗ୍ରାହକମାନଙ୍କ ଠାରୁ ଦେୟ ଆଦାୟ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ଅର୍ଥାତ୍‌ ଏୟାରଟେଲ୍‌ ଓ ଭୋଡାଫୋନ୍‌- ଆଇଡିଆ ଟେଲକମ୍‌ କମ୍ପାନିର ନମ୍ବର ବ୍ୟବହାରକାରୀମାନଙ୍କୁ ଏଣିକି ଇନ୍‌କମିଂ କଲ୍‌ ପାଇଁ ଦେୟ ଦେବାକୁ ପଡ଼ିବ। ଗତ ଦୁଇବର୍ଷ ତଳେ ଜିଓର ବଜାର ପ୍ରବେଶ ପରେ ପୂର୍ବରୁ ଅନ୍ୟ ଟେଲକମ୍‌ କମ୍ପାନିର ସିମ୍‌ ବ୍ୟବହାର କରୁଥିବା ଗ୍ରାହକମାନେ ଜିଓ ସିମ୍‌ ବ୍ୟବହାର କରିବା ସହ ସେମାନଙ୍କ ପୂର୍ବ ସିମ୍‌କୁ କେବଳମାତ୍ର ଇନ୍‌କମିଂ କଲ୍‌ ପାଇଁ ବ୍ୟବହାର କରୁଛନ୍ତି।

ଏବଂ ପୂର୍ବରୁ ବ୍ୟବହାର କରୁଥିବା ଅନ୍ୟ କମ୍ପାନିର ସିମ୍‌କୁ ଆଉ ରିଚାର୍ଜ କରୁନାହାନ୍ତି; ଯେହେତୁ ସେଥିରେ ଜୀବନକାଳ ପାଇଁ ମାଗଣା ଇନ୍‌କମିଂ କଲ୍‌ର ସୁବିଧା ଉପଲବ୍ଧ ଅଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଏବେ ଏୟାରଟେଲ୍‌ ଓ ଭୋଡାଫୋନ୍‌- ଆଇଡିଆ କମ୍ପାନି ଏଣିକି ଇନ୍‌କମିଂ କଲ୍‌ ପାଇଁ ଗ୍ରାହକମାନଙ୍କ ଠାରୁ ଦେୟ ଆଦାୟ କରିବେ ବୋଲି ଘୋଷଣା କରିଛନ୍ତି। ତେବେ, ଏହି ଦେୟ ସେମାନେ ମିନିଟ୍‌ ପିଛା ନନେଇ, ଏକ ମାସିକିଆ ଶୁକ୍ଳ ଗ୍ରାହକମାନଙ୍କ ଠାରୁ ଆଦାୟ କରିବେ। ଫଳରେ ଇନ୍‌କମିଂ ସୁବିଧା ପାଇବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ଏବେ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ରିଚାର୍ଜ କରିବାକୁ ହେବ।

By amfnews

Related Post