Fri. Apr 24th, 2026

ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣା, ସମସ୍ତ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ

305 Views

ହାଇଦ୍ରାବାଦ୍‌ : ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍‌ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ମୁଖ୍ୟ ଅଭିଯୁକ୍ତଙ୍କର ପୁଲିସ୍‌ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଜଣାଯାଇଛି।  ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବା ବେଳେ ଉକ୍ତ ଓଭରବ୍ରିଜ ଉପରେ ହିଁ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି। ଘଟଣାର ଅଧିକ ଛାନଭିନ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଏଥିଯୋଗୁ ସେମାନଙ୍କୁ ଭୋର ୩ଟା୩୦ରୁ ୫ଟା ମଧ୍ୟରେ ଏନକାଉଣ୍ଟର କରାଯାଇଥିବା ହାଇଦ୍ରାବାଦ ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି। ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ।

ସୂଚନାଯୋଗ୍ୟ ଯେ,  କିଛି ଦିନ ପୂର୍ବେ ଶାମସାବାଦଠାରେ ୨୬ ବର୍ଷୀୟ ଭେଟରିନାରୀ ମହିଳା ଡାକ୍ତରଙ୍କୁ ୪ ଜଣ ଯୁବକ ସାହାଯ୍ୟ କରିବା ନାଁରେ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିଲେ। ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମଗ୍ର ଦେଶରେ  ଉତ୍ତେଜନା ଦେଖାଯାଇଥିଲା।

ଯେଉଁ ଟୋଲପ୍ଲାଜା ନିକଟରେ ମହିଳା ଡାକ୍ତରଙ୍କ ସ୍କୁଟି ଖରାପ ହୋଇଥିଲା ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଅଜଣା ବ୍ୟକ୍ତି ଆଗେଇ ଆସିଥିଲେ, ସେହି ସ୍ଥାନରେ ଲାଗିଥିବା ସିସିଟିଭିକୁ ପୁଲିସ୍‌ ଯାଞ୍ଚ କରିଥିଲା। ଏହି ସମୟରେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ପୁଲିସ୍‌ ସିସିଟିଭି ସହ ନିକଟସ୍ଥ ଗ୍ୟାରେଜରେ ପଚାର ଉଚରା କରି ପୁରା ଘଟଣାର ପର୍ଦ୍ଦାଫାସ କରିଥିଲା। ଅଭିଯୁକ୍ତମାନେ ପ୍ରଥମେ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇବା ପରେ ତାଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରିଥିବା ଜଣାପଡ଼ିଥିଲା।

By amfnews

Related Post