Sat. Sep 12th, 2026

ମଦ୍ୟପ ପୁଅକୁ ଠେଙ୍ଗାରେ ପିଟି ହତ୍ୟା କଲା ମା’

183 Views

ଯୋଡ଼ା , ୧୦ା୧୧: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବେଲ୍‌ଦା ଗ୍ରାମର ମୁଣ୍ତାସାହିରେ ମଦ୍ୟପ ପୁଅକୁ ହତ୍ୟା କରିଛି ମା’। ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଠେଙ୍ଗାରେ ପିଟି ପିଟି ତାକୁ ମ‌ାରିଦେବା ପରେ ଫେରାର ହୋଇଯାଇଛି। ଗତକାଲି ସନ୍ଧ୍ୟା ୬ଟା ବେଳେ ଘଟଣା ଘଟିଥିଲେ ମଧ୍ୟ ପ୍ରାୟ ୨୪ ଘଣ୍ଟା ପରେ ଆଜି ସନ୍ଧ୍ୟାରେ ପୁଲିସ ଖବର ପାଇଥିଲା। ପୁଲିସ ତଦନ୍ତ ଆରମ୍ଭ କରି ପୁତ୍ରହନ୍ତା ମା’କୁ ଅଟକ ରଖିଛି। ମୃତ ପୁଅ ହେଉଛି ମଙ୍ଗଲ ମୁଣ୍ଡା (୨୭)।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ସେ ନିଶାସକ୍ତ ହୋଇ ଘରେ ପାଟିତୁଣ୍ତ କରିଥିଲା। ବହୁ ସମୟ ଧରି ମଙ୍ଗଲ ଓ ତାଙ୍କ ମା’ ଚାରିବା ମୁଣ୍ତାଙ୍କ ମଧୢରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚାରିବା ଘର ବାହାରେ ପଡ଼ିଥିବା ଏକ ଠେଙ୍ଗା ସାହାଯ୍ୟରେ ମଙ୍ଗଲର ମୁଣ୍ଡ ପଛପଟେ ଶକ୍ତ ପାହାର ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମଙ୍ଗଲଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ହେବା ଦେଖି ଚାରିବା ଘରୁ ବାହାରି ପଳାଇ ଯାଇଥିଲା। ଘରେ ଚାଲିଥିବା ପାଟିତୁଣ୍ଡ ମଧ୍ୟ ହଠାତ ବନ୍ଦ ହୋଇଯାଇଥିଲା। ଆଜି ସନ୍ଧ୍ୟାରେ ଗ୍ରାମର ୱାର୍ଡ ମେମ୍ବର ଏ ନେଇ ବାମେବାରୀ ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରିଛି। ଫେରାର ହୋଇ ଯାଇଥିବା ମା’ ଚାରିବା ମୁଣ୍ତାକୁ ଧରି ଥାନାରେ ଅଟକ ରଖିଛି ବୋଲି ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

By amfnews

Related Post