Mon. Apr 27th, 2026

ବିବାହ ପାଇଁ ମନା କରିବାରୁ ବିଧବା ଭାଉଜଙ୍କୁ ଦିଅରର ଭୁଜାଲି ଚୋଟ

295 Views

କଙ୍କଡ଼ାହାଡ଼, ଜାନୁଆରୀ ୧୫ : କଙ୍କଡ଼ାହାଡ଼ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହର ମାତ୍ର ଏକ ବର୍ଷ ପୂରି ନ ଥିବା ବେଳେ ସ୍ୱାମୀ ଦୁର୍ଘଟଣାରେ ମୃତ୍ୟୁବରଣ କଲେ। ଭାଗ୍ୟକୁ ଆଦରି ବିଧବା ଯୁବତୀ ଜଣକ ବାପ ଘରକୁ ଚାଲିଗଲେ। ମାତ୍ର ତାଙ୍କୁ ବିବାହ କରିବାକୁ ଅଡ଼ି ବସିଥିଲେ ଦିଅର। ମାତ୍ର ଏଥିରେ ଭାଉଜ ରାଜି ହୋଇ ନ ଥିଲେ। ଦିଅରଙ୍କ ଏକତରଫା ପ୍ରେମ ନିବେଦନକୁ ଉପେକ୍ଷା କରିବାରୁ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ ଦିଅର। ଆଜି ସକାଳୁ ଭାଉଜଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛି ଅଭିଯୁକ୍ତ ଦିଅର। ଗୁରୁତର ଅବସ୍ଥାରେ ଭାଉଜଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିିବା ବେଳେ ଅଭିଯୁକ୍ତ ଦିଅରଙ୍କୁ କଙ୍କଡ଼ାହାଡ଼ ଥାନାରେ ଅଟକ ରଖାଯାଇଛି।

କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ଠାରୁ ମିଳିଥିବା ସୂଚନା ଅନୁଯା ୟୀ,ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାମାଳ ଗାଁର ଝିଅ ମାମିନା (୨୫ ବର୍ଷ) ତରାଜଙ୍ଗ ଗାଁର ରଘୁନାଥ ନାୟକଙ୍କୁ ୩ ବର୍ଷ ତଳେ ବିବାହ କରିଥଲେ। ତେବେ ବିବାହର ବର୍ଷକ ପରେ ରଘୁନାଥଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେଣୁ ବିଧବା ମାମିନା ତାଙ୍କ ବାପଘରକୁ ଚାଲି ଯାଇଥିଲେ। ତେବେ ଗତ କିଛି ଦିନ ହେବ ତାଙ୍କ ଦିଅର ସିପୁ ମାମିନାଙ୍କୁ ବିବାହ କରିବାକୁ ଚାହୁଥିଲେ। ଏଥିପାଇଁ ସେ ମାମିନାଙ୍କୁ କହିବାରୁ ମାମିନା ଏହି ବିବାହ ପାଇଁ ରାଜି ହୋଇ ନ ଥିଲେ। ମାମିନାଙ୍କ ପ୍ରତ୍ୟାଖାନ ସିପୁଙ୍କ କ୍ରୋଧ ବଢ଼ାଇ ଦେଇଥିଲା। ଆଜି ସକାଳେ ମାମିନା ପୋଖରିରୁ ଫେରୁଥିବା ବେଳେ ପୂର୍ବରୁ ଲୁଚି ରହିଥିବା ସିପୁ ଏକ ଭୁଜାଲିରେ ମାମିନାଙ୍କ ପିିଠି, ଗୋଡ ଓ ଜଙ୍ଘକୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ମାମିନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଅଭିଯୁକ୍ତ ଦିଅରଙ୍କୁ କଙ୍କଡ଼ାହାଡ଼ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ବୋଲି ଏସଡିପିଓ ଶ୍ରୀ ମଲ୍ଲିକ କହିଛନ୍ତି।

By amfnews

Related Post