Fri. Oct 2nd, 2026

ବିଚ୍ଛିନ୍ନାଞ୍ଚଳରେ ବିଷମ ସ୍ଥିତି : ପେପର ମେଟଲାରେ ପ୍ରଜାମେଳି

185 Views

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଛିନ୍ନାଞ୍ଚଳର ପେପରମେଟଲ ଗ୍ରାମରେ ପ୍ରଜାମେଳି ପାଇଁ ହଜାର ହଜାର ଲୋକ ଆଜି ଏକାଠି ହୋଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଯନ୍ତାପାଇ ଗ୍ରାମରେ ହେବାକୁ ଥିବା ହାଟକୁ ବନ୍ଦ ଘୋଷଣା କରିବା ସହ ୧୪୪ ଧାରା ଲାଗୁ କରିଥିଲେ। ବିଭିନ୍ନ ସମସ୍ୟା ଓ ଦାବି ସଂପର୍କରେ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଦିନ ଯନ୍ତାପାଇ ହାଟରୁ ରାଙ୍ଗନିଗୁଡା ଗ୍ରାମର ରାଜୁ ହନ୍ତାଳ ବିଏସ୍‌ଏଫ୍‌ ଦ୍ବାରା ଅଟକ ରହିବା ଏବଂ ପରଦିନ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ତାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ କେନ୍ଦ୍ରକରି ବିଚ୍ଛିନ୍ନାଞ୍ଚଳରେ ଜନଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ଯନ୍ତାପାଇ ହାଟରେ ପ୍ରଜାମେଳି ହେବାର ସୂଚନା ପାଇବା ପରେ ପ୍ରଶାସନ ତରଫରୁ ଏଠାରେ ପୁଲିସ ଛାଉଣି କରିଦିଆଯାଇଥିଲା। ଗତକାଲି ରାତିରୁ ଗ୍ରାମରେ ପୁଲିସ ମୁତୟନ କରାଯାଇଥିଲା। ମାଲକାନଗିରି ଏସ୍‌ପି ରିଷିକେଶ ଖିଲାରି ଏବଂ ପ୍ରଶାସନ ତରଫରୁ ପିଏ ଆଟିଡିଏ ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଗ୍ରାମବାସୀଙ୍କ ସମସ୍ତ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ, ନକ୍ସଲ ସଂଗଠନ ହିଁ ଲୋକଙ୍କୁ ଉସୁକାଇ ପ୍ରଶାସନ ବିରୋଧରେ ପ୍ରଜାମେଳି କରାଉଥିବା ଶୁଣିବାକୁ ମିଳିଛି।

By amfnews

Related Post