Fri. May 22nd, 2026

ପୁଣି ଅଶାନ୍ତ ଭଞ୍ଜବିହାର : ରଣକ୍ଷେତ୍ର ପାଲଟିଲା ଆନନ୍ଦବଜାର

245 Views

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଜି ପୁଣିଥରେ ଅଶାନ୍ତ ହୋଇ ଉଠିଛି। ଭଞ୍ଜବିହାର କ୍ୟାମ୍ପସ୍‌ରେ ଥିବା ଆନନ୍ଦ ବଜାର ରଣକ୍ଷେତ୍ର ପାଲଟିଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମୁହାଁମୁହିିଁ ହେବା ସହିତ ଠେଙ୍ଗା, କାଠଫାଳିଆରେ ପରସ୍ପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ପୂର୍ବତନ ଛାତ୍ର ନେତା ଦେବାଶିଷ ମିଶ୍ର ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ୩ ସେକ୍ସନ୍‌ ପୁଲିସ ଫୋର୍ସ ମୁତୟନ କରିଥିବାବେଳେ ୨ ଜଣ ଛାତ୍ରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଦୁଇ ଅଣଛାତ୍ର ଗୋଷ୍ଠୀ ଓ ସେମାନଙ୍କ ସମର୍ଥକ ମୁହାମୁହିଁ ହୋଇଥିଲେ। ଠେଙ୍ଗା, କାଠ ଫାଳିଆ ଧରି ଗୋଟିଏ ଗୋଷ୍ଠୀର ସଦସ୍ୟ ବିପକ୍ଷ ଗୋଷ୍ଠୀର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗୋଟିଏ ଗୋଷ୍ଠୀର ଅଣଛାତ୍ର ତଥା ପୂର୍ବତନ ଛାତ୍ର ନେତା ଦେବାଶିଷ ମିଶ୍ର ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଦେବାଶିଷଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଗୋଷ୍ଠୀର ଦୁଇଜଣ ଛାତ୍ରଙ୍କୁ କାବୁ କରି ଥାନାରେ ଅଟକ ରଖିଛି। ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରୁଥିବାରୁ ଏପରି ଘଟଣା ଘଟୁଥିବା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଥିସହିତ, ଉଭୟ ଛାତ୍ର ଗୋଷ୍ଠୀ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ ଓ କୁଳସଚିବ ଦାୟିତ୍ବରେ ଥିବା ଭାରପ୍ରାପ୍ତ କୁଳସଚିବ ତୁଷ‌ାରକାନ୍ତି ଖଟୁଆଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ୟାମ୍ପସ୍‌ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୩ ସେକ୍ସନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

By amfnews

Related Post