Sat. Jun 13th, 2026

ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଘାରିଛି କରୋନା ଭୟ, ୨ ଡାକ୍ତରଙ୍କ ସମେତ ୧୧ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍ ସଂଗ୍ରହ

260 Views

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲ ଓ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଘାରିଛି କରୋନା ଭୟ। ବହଳଦାରୁ କରୋନା ଚିହ୍ନଟ ହୋଇଥିବା ମହିଳା ଜଣଙ୍କ ଗତ ୨ ତାରିଖରେ ବାରିପଦାସ୍ଥିତ ପିଆରଏମ୍ ଯକ୍ଷ୍ମା ବିଭାଗକୁ ଚିକିତ୍ସା ନିମନ୍ତେ ଆସିଥିଲେ। ତେବେ ପରବର୍ତ୍ତୀ ସମୟରେ ଉକ୍ତ ମହିଳାଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ପରେ ହୋଇଥିବା କଣ୍ଟାକ୍ଟ୍ ଟ୍ରେସିଂ ପ୍ରକ୍ରିୟାରେ ଯକ୍ଷ୍ମା(ଟିବି) ବିଭାଗର ଦୁଇ ଜଣ ଡାକ୍ତର ଉକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସେହିପରି ୨ଜଣ ଷ୍ଟାଫ୍ ନର୍ସଙ୍କ ସମେତ ପ୍ରାୟ ୧୧ଜଣ ସ୍ବାସ୍ଥ୍ୟକର୍ମୀ ଉକ୍ତ କରୋନା ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ୍ ଟ୍ରେସିଂରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଦୁଇ ଡାକ୍ତରଙ୍କ ସମେତ ୧୧ ସ୍ବାସ୍ଥ୍ୟକର୍ମୀଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି। ଉପରୋକ୍ତ ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ପିଆରଏମରେ କରୋନାର ଉପସ୍ଥିତି ସମ୍ପର୍କରେ ସ୍ପଷ୍ଟତା ଆସିବ।  ଉକ୍ତ ମହିଳାଙ୍କ ସଂସ୍ପର୍ଶରେ ମୟୂରଭଞ୍ଜରେ ଆସିଥିବା ସମସ୍ତଙ୍କର କଣ୍ଟାକ୍ଟ୍ ଟ୍ରେସିଂ ସରିଛି। ଉକ୍ତ ମହିଳାଜଣଙ୍କ କିନ୍ତୁ କେଉଁଠୁ କରୋନା ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ମହିଳାଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ରାଇରଙ୍ଗପୁରରୁ ବାରିପଦାର ଚିକିତ୍ସା ନିମନ୍ତେ ଆସିଥିଲେ।

By amfnews

Related Post