Fri. Aug 14th, 2026

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ, ତାଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

338 Views

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ କର୍କଟ ଓ କିଡ୍ନି ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ବୋଲି କୁହାଯାଉଛି। ତାଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମ୍ସରେ ଭେଟିଛନ୍ତି। ସେହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ କିଛି ଦିନ ତଳେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଦିଲ୍ଲୀ ଏମ୍ସରେ ପହଞ୍ଚି ଅରୁଣ ଜେଟଲିଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ କଥା ହୋଇଥିଲେ। ସେ ସେଠାରେ ଉପସ୍ଥିତ ଥିବା ଅରୁଣ ଜେଟଲିଙ୍କ ପରିବାରବର୍ଗଙ୍କୁ ବି ଭେଟିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଅରୁଣ ଜେଟଲିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ଫୁସଫୁସରେ ଜଳ ରହିଥିବାରୁ ନିଃଶ୍ବାସ –ପ୍ରଶ୍ବାସ ନେବାରେ ସମସ୍ୟା ଦେଖା ଦେଇଛି। ଏଥିଲାଗି ଫୁସଫୁସରୁ ଜଳ ବାହାର କରାଯାଉଛି। ମାତ୍ର ଜଳ ବାହାର କରିବାପରେ ପୁଣି ସେଥିରେ ଜଳ ଭର୍ତ୍ତି ହେଉଛି। ଏହି କାରଣରୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ଡାକ୍ତରମାନଙ୍କ ସୂଚନା ଅନୁଯାୟୀ ଅରୁଣ ଜେଟଲି ଏବେ ସଫ୍ଟ ଟିସୁ ସରକୋମା ରୋଗରେ ପୀଡ଼ିତ। ଏହା ଏକ ପ୍ରକାରର କର୍କଟ ରୋଗ। ଆଗରୁ ଅରୁଣ ଜେଟଲିଙ୍କର କିଡନିର ପ୍ରତ୍ୟାରୋପଣ କରାଯାଇଛି । ତା’ଛଡ଼ା ସେ ମଧୁମେହରେ ବି ପୀଡ଼ିତ।

By amfnews

Related Post