Tue. Sep 29th, 2026

ନିମ୍ନ ଅଦାଲତଗୁଡ଼ିକ ନିମନ୍ତେ ୬୦୦୦ ବିଚାରପତି ଚୟନ କରିବାକୁ ଯୋଜନା କରୁଛନ୍ତି ସରକାର

362 Views

ନୂଆଦିଲ୍ଲୀ: ନିମ୍ନ ଅଦାଲତଗୁଡ଼ିକରେ ଖାଲି ପଡ଼ିଥିବା ୫, ୪୦୦ ବିଚାରପତି ବଦବୀ ପୂରଣ କରିବା ନିମନ୍ତେ କେନ୍ଦ୍ର ଆଇନ ମନ୍ତ୍ରାଳୟ ସୁପ୍ରିମ୍‌ କୋର୍ଟ ସହ ମିଶି ଥରକେ ପ୍ରାୟ ୬୦୦୦ ବିଚାରପତି ଚୟନ କରିବାକୁ ଦେଶବ୍ୟାପୀ ପରୀକ୍ଷା କରାଇବାକୁ ଉଦ୍ୟମ କରୁଛି।

ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ କିଂବା ଅନ୍ୟ କୌଣସି କେନ୍ଦ୍ରୀୟ ଏଜେନ୍‌ସି ଏହି ପରୀକ୍ଷା କରାଇ ପାରନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଜିଲ୍ଲା ଜଜ୍‌ ଏବଂ ନିମ୍ନ ଅଦାଲତ ଜଜ୍‌ ନିମନ୍ତେ ଭିନ୍ନ ଭିନ୍ନ ପରୀକ୍ଷା କରାଯିବ। ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଚାହୁଁ ଥିବା ପ୍ରାର୍ଥୀମାନଙ୍କ ଲାଗି ସ୍ଥାନୀୟ ଭାଷା ଉପରେ ଗୁରୁତ୍ୱାରୋପ କରାଯିବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସିବିଏସ୍‌ଇ କରାଉଥିବା ନିଟ୍‌ ଧାରାରେ ଏହି ପରୀକ୍ଷା କରାଯିବ। କେନ୍ଦ୍ରୀୟ ଚୟନ ଧାରାରେ ସର୍ବଭାରତୀୟ ମେରିଟ୍‌ ତାଲିକା ପ୍ରସ୍ତୁତ କରାଯିବ।

ସୁପ୍ରିମ୍‌ କୋର୍ଟ ନିର୍ଦେଶାବଳୀ ଜାରି କରିବା ପରେ ଯାଇ ଏହି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯିବ। ସର୍ବଭାରତୀୟ ବିଚାର ବିଭାଗୀୟ ନିଯୁକ୍ତି ବିରୋଧରେ ଆଗତ ଏକ ରିଟ୍‌ ପିଟିସନ୍‌ର ଶୁଣାଣି ପରେ ସୁପ୍ରିମ୍‌ କୋର୍ଟ ନିର୍ଦେଶାବଳୀ ଜାରି କରିବ।

ଏବେ ଜିଲ୍ଲା ଓ ନିମ୍ନ ଅଦାଲତଗୁଡ଼ିକରେ ସମସ୍ତ ବିଚାରପତି ନିଯୁକ୍ତି ସମ୍ପୃକ୍ତ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ଅଧୀନରେ କରାଯାଉଛି। ନିମ୍ନ ଅଦାଲତଗୁଡ଼ିକ ନିମନ୍ତେ ବିଚାର ବିଭାଗୀୟ ଅଧିକାରୀ ଚୟନ ପାଇଁ ନିୟମିତ ପରୀକ୍ଷା କରାଯାଉ ନ ଥିବାରୁ ବିପୁଳ ସଂଖ୍ୟକ ପଦବୀ ଖାଲି ପଡୁଛି।

By amfnews

Related Post