Sun. Apr 26th, 2026

ଧରମବନ୍ଧାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା

280 Views

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖା ଦେଇଛି। କିଛି ଦିନ ତଳେ ଧରମବନ୍ଧା ସରପଞ୍ଚଙ୍କ ଗାଈକୁ ବାଘ ମାରି ଖାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ ପୁଣି ସେହି ଜଙ୍ଗଲରେ ବାଘ ଏକ ବଳଦକୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଧରମବନ୍ଧା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମବାସୀଙ୍କୁ ରାତି ହେଲେ ଘରୁ ପଦାକୁ ନ ବାହାରିବୁ ସତର୍କ କରି ଦେଇଛନ୍ତି। ଅନ୍ୟପକ୍ଷରେ ବଳଦକୁ କେଉଁ ବାଘ ଖାଇଛି ତାହା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବଳଦ ଖାଇଥିବା ସ୍ଥାନରେ ଆଇଆର୍‌ କ୍ୟାମେରା ଲଗାଯାଇଛି।

ସୂଚନା ମୁତାବକ, ଧରମବନ୍ଧା ଧର୍ଷପଡ଼ା ଗ୍ରାମର ତୁଲାରାମ ରାଉତଙ୍କ ବଳଦ ୩/୪ ଦିନ ତଳେ ଲୋଡ୍ରାପାଟ ଜଙ୍ଗଲକୁ ଚରିବାକୁ ଯାଇଥିଲା। ହେଲେ ଉକ୍ତ ବଦଳକୁ ବାଘ ଆକ୍ରମଣ କରିଥିବା ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଧରମବନ୍ଧା ଫରେଷ୍ଟର ନୂଆରାମ ମାଝୀ ଓ ଫରେଷ୍ଟର ଗାର୍ଡ ଫେଣ୍ଟମ୍ କୁଲଦୀପ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ବଳଦ ଖାଇବା ସ୍ଥାନରେ କ୍ୟାମେରା ଲଗା ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ୪ ତାରିଖ ଦିନ ଧରମବନ୍ଧା ସରପଞ୍ଚ ଓମପ୍ରକାଶ କଲାରଙ୍କ ଗାଈଙ୍କୁ ବାଘ ମାରି ଖାଇ ଦେଇଥିଲା। ଏହି ଘଟଣା ପରେ ଲୋକେ ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି। ଏ ସମ୍ପର୍କରେ ଧରମବନ୍ଧା ଫରେଷ୍ଟର ଶ୍ରୀ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବଳଦ ମରିଥିବା ସ୍ଥାନରେ କ୍ୟାମେରା ଲଗା ଯାଇଛି। ବଳଦକୁ ମହାବଳ କି କଲରାପତରିଆ ବାଘ କିମ୍ବା ଅନ୍ୟ ଜନ୍ତୁ ମାରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

By amfnews

Related Post