Fri. Jul 3rd, 2026

ଟ୍ରେନ୍‌ ଇଞ୍ଜିନ୍‌ ଉପରେ ଚଢ଼ି ଯୁବକଙ୍କ ହଙ୍ଗାମା, ପଚାରିଲେ ‘ଚନ୍ଦ୍ରଯାନ-୨’ ମିସନ୍‌ କାହିଁକି ଫେଲ୍‌ ହେଲା?

316 Views

ଲକ୍ଷ୍ମୌ : ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରସାରିତ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବସବାସ କରୁଥିବା ଜଣେ ଯୁବକ ଚନ୍ଦ୍ରଯାନ-୨ ମିସନ୍‌ କାହିଁକି ଫେଲ୍‌ ହେଲା ତାହାର କାରଣ ପଚାରି ଟ୍ରେନ୍‌ ଇଞ୍ଜିନ୍‌ ଉପରେ ଚଢ଼ି ଯାଇଥିବାର ଏକ ଖବର ଓ ଫଟୋ ସାମ୍ନାକୁ ଆସିଛି।

ଏହି ଯୁବକ ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରସାରିତ ହେବା ପରେ କ୍ରୋଧିତ ହୋଇଯାଇଥିଲେ। ଏହାପରେ ସେ ମଧ୍ୟପ୍ରଦେଶର ନରୟାବାଳି ଷ୍ଟେସନ୍‌ରେ ଛିଡା ହୋଇଥିବା ଏକ ଟ୍ରେନ୍‌ ଇଞ୍ଜିନ୍‌ ଉପରେ ଚଢ଼ି ହଙ୍ଗାମା କରିଥିଲେ। ଯୁବକର ଏଭଳି ହଙ୍ଗାମା ଦେଖି ଟ୍ରେନ୍‌ର ଲୋକୋପାଇଲଟ ଓ ଅନ୍ୟ କର୍ମଚାରୀ ତାଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ଜଣକ କାହାରି କିଛି କଥା ନଶୁଣି ଅଧାଘଣ୍ଟା ପର୍ଯ୍ୟନ୍ତ ଏଭଳି ହଙ୍ଗାମା ଜାରି ରଖିଥିଲେ। ଫଳରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବାରେ ବି ବିଳମ୍ବ ହୋଇଥିଲା।

ଅନ୍ୟପକ୍ଷରେ ଟ୍ରେନ୍‌ ଉପର ଦେଇ ହାଇଟେନ୍‌ସନ୍‌ ଓଭରହେଡ ଲାଇନ୍‌ ଯାଇଥାଏ। ଟ୍ରେନ୍‌ ଇଞ୍ଜିନ୍‌ ଉପରେ ଯୁବକ ଏପରି ବସିବା ହେତୁ କୌଣସି ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଥିଲା। ତେଣୁ ହାଇଟେନ୍‌ସନ୍‌ ଓଭରହେଡ ଲାଇନ୍‌ର ପାଓ୍ଵର ସପ୍ଲାଏକୁ ବନ୍ଦ କରାଯାଇ ପୁଲିସ ଓ ଆରପିଏଫ୍‌ଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ ଓ ଆରପିଏଫ୍‌ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ଯୁବକଙ୍କୁ କାବୁ କରିଥିଲେ। ତେବେ ଅତ୍ୟଧିକ ମଦପାନ ହେତୁ ଯୁବକ ଏଭଳି କାମ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରସାରିତ ହୋଇଥିଲା। କିନ୍ତୁ ପରେ ଇସ୍ରୋ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା କି ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ରହିଛି ଓ ଅରବିଟର୍‌ ଚନ୍ଦ୍ର କକ୍ଷରେ ସଂପୂର୍ଣ୍ଣ ସକ୍ରିୟ ରହିଛି। ଏହାର ମାତ୍ର ୫ ପ୍ରତିଶତ ଠିକ ଭାବେ କାର୍ଯ୍ୟ କରିନାହିଁ।

By amfnews

Related Post