Fri. Apr 24th, 2026

ଟ୍ରାଫିକ ନିୟମକୁ ଯତୀଶଙ୍କ ଭୟ, ଗାଡ଼ି ବଦଳରେ କିଣିଲେ ଘୋଡ଼ା

238 Views

ମାଲକାନଗିରି : ନୂଆ ଟ୍ରାଫିକ ଆଇନ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଜରିମାନାକୁ ନେଇ ଯେତେ ବିତର୍କ କଲେ ବି ଶେଷ ହେଉନି। ପ୍ରତ୍ୟେକ ଦିନ ଧରପଗଡ଼ ଚାଲିଥିବା ବେଳେ ଯେଉଁଭଳି ଭାବେ ଜରିମାନା ଆଦାୟ ହେଉଛି ତାହା ‌ସାଧାରଣ ଲୋକଙ୍କୁ ଛାନିଆ କରିଛି। ଏପରିକି କାର ଚାଳକଙ୍କୁ ହେଲମେଟ ଏବଂ ବାଇକ ଚାଳକଙ୍କୁ ସିଟ୍ ବେଲ୍ଟ ପାଇଁ ଚାଲାଣ କଟୁଛି। ଏମିତି ସମୟରେ ମାଲକାନଗିରି ସହରରେ ଦେଖିବାକୁ ମିଳିଛି ଗୋଟିଏ କୌତୁକିଆ ଘଟଣା। ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭିନ୍ନ ଭିନ୍ନ ଦୁଇଟି ଦିଗକୁ ପରିପ୍ରକାଶ କରିଛି। ଏପରିକି ସରକାରୀ ନୀତି ତଥା ଆଇନ ପ୍ରତି ଏହା ଗୋଟିଏ ପ୍ରତିବାଦ ବୋଲି ମତ ପ୍ରକାଶ ପାଇଛି।

ମାଲକାନଗିରି ସହରରେ ରହୁଛନ୍ତି ଯତୀଶ ମିସ୍ତ୍ରୀ। ପୂର୍ବରୁ ଗୋଟିଏ ବାଇକ କିଣିଥିଲେ। ଏହି ବାଇକରେ ହିଁ ବଜାରକୁ ଯିବା ସହ ପିଲାଙ୍କୁ ସ୍କୁଲ ଛାଡ଼ୁଥିଲେ। ଏହାବ୍ୟତୀତ ଆଖପାଖ ଅଞ୍ଚଳକୁ କୌଣସି କାମରେ ଏହି ବାଇକକୁ ନେଇ ଯାଉଥିଲେ। ତେବେ ନୂଆ ଟ୍ରାଫିକ ନିୟମ କାର୍ଯ୍ୟକାରୀ ହେବାପରେ ବାଇକ ଚଲାଇବା ଛାଡ଼ି ଦେଇଛନ୍ତି ଯତୀଶ। କିଛି ଦିନ ତଳେ ବାଇକ ବଦଳରେ ସବୁ କାମ ଘୋଡ଼ାରେ ପିଠିରେ ବସି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେଣୁ ୨୩ହଜାର ଟଙ୍କା ଦେଇ ଗୋଟିଏ ଘୋଡ଼ା କିଣିଛନ୍ତି। ଏହି ଘୋଡ଼ା ହିଁ ଏବେ ତାଙ୍କ ବାଇକ ସ୍ଥାନ ନେଇ ସାରିଛି।

ନିଜର ସମସ୍ତ କାର୍ଯ୍ୟ ସେ ଘୋଡା ଦ୍ବାରା କରୁଥିବାରୁ ମାଲକାନଗିରିବାସୀ ମଧ୍ୟ ଯତୀଶ ଏବଂ ତାଙ୍କ ଘୋଡ଼ାକୁ ଦେଖିଲେ କିଛି ସମୟ ପାଇଁ ଅଟକି ଯିବା ପାଇଁ ବାଧ୍ୟ ହେଉଛନ୍ତି। ସେହିପରି ପିଲାଙ୍କୁ ନେଇ ସ୍କୁଲ ଯିବା ସମୟରେ ଭିଡ଼ ଜମୁଛି। ଘୋଡ଼ା ଦ୍ବାରା ସେ ନିଜର ବହୁ କାମ ସହଜରେ କରିପାରୁଛନ୍ତି। ଟ୍ରାଫିକରେ ଅନ୍ୟମାନେ ହେଉଥିବା ହଇରାଣରୁ ବି ବର୍ତ୍ତି ଯାଇଛନ୍ତି। ଅସମୟରେ ରୋଗୀଙ୍କୁ ମଧ୍ୟ ସେ ଘୋଡ଼ା ପିଠିରେ ବସାଇ ମେଡିକାଲ କହିଥିଲେ। ଏଭଳି ଅଭିନବ ଉପାୟ ବାହାର କରି ଯତୀଶ ନିଜକୁ ଟ୍ରାଫିକ ନିୟମ ଠାରୁ ଦୂରେଇ ସାରିଛନ୍ତି। ପରୋକ୍ଷରେ ପ୍ରେଟ୍ରୋଲ ଦର ଏବଂ ପ୍ରଦୂଷଣ ପ୍ରତି ସେ କେତେ ସଚେତନ ତାହାକୁ ବି ଦର୍ଶାଇଛନ୍ତି।

By amfnews

Related Post