Thu. Jul 2nd, 2026

ଡିଇଓଙ୍କ ବାସଭବନରେ ଶିକ୍ଷକଙ୍କ ମୃତ୍ୟୁ ମାମଲା : କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟହେଲେ?

198 Views

କୋରାପୁଟ : ଅଫିସର କିଛି ଲୋକ ବାରମ୍ବାର ହଇରାଣ କରୁଥିଲେ। ବାହାରର କେତେ ଜଣ ବ୍ଲାକମେଲ ବି କରୁଥିଲେ। ତେଣୁ ପ୍ରବଳ ମାନସିକ ଚାପରେ ଥିଲେ ଶିକ୍ଷକ। ଚାପ ସହି ନ ପାରି ‌ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ଅଭିଯୋଗ ଆ‌ଣିଛନ୍ତି ପରିବାର। ଅନ୍ୟପଟେ, ମୃତ ଶିକ୍ଷକଙ୍କ ସୁସାଇଡାଲ ନୋଟ୍‌କୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ତରଂଜନ ପଣ୍ଡା ଡେପୁଟେସନରେ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାମ କରୁଥିଲେ।

ଗତକାଲି ମଧ୍ୟାହ୍ନରେ ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ର‌ମୋଦ କୁମାର ପଣ୍ଡାଙ୍କ ବାସଭବନରୁ ମିଳିଥିଲା। ତାଙ୍କ ପକେଟରୁ ଏକ ସୁଇସାଇଡ ନୋଟ ମିଳିବା ପରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଏହି ସୁଇସାଇଡ ନୋଟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥି‌ରେ ସେ ତାଙ୍କ ମୃତ୍ୟୁ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ସେହିପରି ଦୁଇଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ନାମ ମଧ୍ୟ ଚିଠିରେ ରହିଛି। ଏଥିନେଇ କୋରାପୁଟ ଏସଡିପିଓ ବଳଭଦ୍ର ଦୀପ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।

By amfnews

Related Post