Thu. Jul 2nd, 2026

କୋଟ୍‌ପା ଆଇନରେ ଗତବର୍ଷ ରାଜ୍ୟରେ ଧୂମପାନକାରୀ ଗଣିଛନ୍ତି ୮ଲକ୍ଷର ତଣ୍ଡ

234 Views

ଭୁବନେଶ୍ୱର : କୋଟ୍‌ପା ଆଇନରେ ଗତବର୍ଷ ରାଜ୍ୟବ୍ୟାପୀ ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରୁ ପ୍ରାୟ ୮ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। କଟକ ସଦରରୁ ସର୍ବାଧିକ ଜରିମାନା ଆଦାୟ କରାଯାଇଥିବା ବେଳେ ଭୁବନେଶ୍ବରରୁ ମଧ୍ୟ ଅଧିକ ମାତ୍ରାରେ ଜରିମାନା ଆଦାୟ କରାଯାଇଛି। ଜିଲ୍ଲାସ୍ତରରେ ଖୋର୍ଧା ଜିଲ୍ଲା ଆଗରେ ରହିଥିବା ବେଳେ ଏହା ପଛକୁ ପୁରୀ, ସମ୍ବଲପୁର, କଟକ ଭଳି ଜିଲ୍ଲା ରହିଛନ୍ତି। ଏବେ କୋଟ୍‌ପା ଆଇନରେ ରାଜ୍ୟର ୨୩/୨୪ଟି ଜିଲ୍ଲାରୁ ଜରିମାନା ଆଦାୟ କରାଯାଉଥିବା ବେଳେ ଏହାକୁ ୩୦ ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି।

ତମାଖୁ ନିୟନ୍ତ୍ରଣ ପାଇଁ ୮ଟି ବିଭାଗ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ହେଲେ ଏଥିରେ ଅନେକ ବିଭାଗ ସହଯୋଗ କରୁ ନାହାନ୍ତି। ଯାହାଫଳରେ ରାଜ୍ୟରେ ତମାଖୁ ସଂପୂର୍ଣ୍ଣଭାବେ ନିୟନ୍ତ୍ରଣ ହୋଇପାରୁ ନାହିଁ। ଆଗକୁ ବିଦ୍ୟାଳୟସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ। ରାଜ୍ୟରେ ଇ-ସିଗାରେଟ୍ ବିକ୍ରିକୁ ନିଷେଧଦେଶ ଜାରି କରାଯାଇଛି। ବଜାରରେ ଇ-ସିଗାରେଟ୍‌ ବିକ୍ରି ପ୍ରାୟ ନଜରକୁ ଆସୁ ନ ଥିବା ବେଳେ ଅନଲାଇନ୍‌ରେ ବିକ୍ରି ମଧ୍ୟ ବନ୍ଦ ହୋଇଛି।

ତଥାପି ଯଦି କୌଣସିଠାରେ ଇ-ସିଗାରେଟ୍‌ ବିକ୍ରି ହେଉଥିବା ନଜରକୁ ଆସିବ ସେଥିପାଇଁ ପୁଲିସ୍ ପକ୍ଷରୁ ସବୁ ଜିଲ୍ଲାକୁ ନିର୍ଦେଶାବଳୀ ଜାରି କରାଯାଇଛି। ଏହାସହ ଯେଉଁମାନେ ତମାଖୁ ସବୁଦିନ ପାଇଁ ଛାଡ଼ିବାକୁ ଚାହୁଁଛନ୍ତି ସେଭଳି ଲୋକଙ୍କୁ ଠାବ କରିବା ସହିତ ସଚେତନା ବଢ଼ାଇବା ପାଇଁ କାଉନ୍‌ସିଲରମାନଙ୍କୁ ତାଲିମ୍ ଦିଆଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

By amfnews

Related Post