Sun. Sep 27th, 2026

‘କେନ୍ଦ୍ରକୁ ନଶୁଣି ସିଏଏ ଉପରେ ରୋକ୍ ଲାଗିବନି’

237 Views

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏ ବାବଦରେ ପକ୍ଷ ରଖିବାକୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ଆସାମ, ତ୍ରିପୁରା, ପୂର୍ବୋତ୍ତର ପାଇଁ ଅଲଗା ଭାବରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ତେବେ ଆସାମ ଏବଂ ତ୍ରିପୁରା ପାଇଁ ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନୋଟିସ କରାଯାଇଛି।

ସିଏଏ ବାବଦରେ ହୋଇଥିବା ଆବେଦନର ଶୁଣାଣି ସାମ୍ୱାଧାନିକ ପୀଠ ଦ୍ୱାରା ହେବ। ଏଥିପାଇଁ କ୍ୟାଟାଗୋରୀ କରାଯାଇଛି। ୫ ଜଣ ବିଚାରପତିଙ୍କ ଦ୍ୱାରା ଆବେଦନର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ ପକ୍ଷ ରଖି କହିଥିଲେ, କେନ୍ଦ୍ର ଏକ ପ୍ରାଥମିକ ସତ୍ୟପାଠ ପ୍ରସ୍ତୁତି କରିଛି। ଆଜି ଏହାକୁ ଦାଖଲ କରାଯିବ। ଏହି ମାମଲାରେ ପକ୍ଷ ରଖିବା ପାଇଁ ସରକାରଙ୍କୁ ସମୟ ଦେବାର ଆବଶ୍ୟକ ରହିଛି। ଯାହାକି ହୋଇନାହିଁ। ଜବାବରେ ଆଇନଜୀବୀ କପିଲ ଶିବଲ କହିଥିଲେ ପୂର୍ବରୁ ୪ ସପ୍ତାହ ଦିଆଯାଇଥିଲା କେନ୍ଦ୍ରକୁ। ତେଣୁ ଏବେ ତୁରନ୍ତ ସିଏଏ ଉପରେ ରୋକ୍ ଲଗାଯାଉ। ଏହାପରେ ସୁପ୍ରିମକୋର୍ଟ କହିଥିଲେ, କେନ୍ଦ୍ରର ପକ୍ଷ ନଶୁଣିବା ଯାଏ ସିଏଏ ଏବଂ ଏନପିଆର ଉପରେ ରୋକ୍ ଲଗାଇ ହେବନି।

କୋର୍ଟରେ କେନ୍ଦ୍ର ପକ୍ଷ ରଖିବା ପରେ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆବେଦନର ଶୁଣାଣି ପାଇଁ ତାରିଖ ସ୍ଥିର କରିବେ। ଦରକାର ପଡ଼ିଲେ କୋର୍ଟ ପ୍ରତି ଦିନ ଏହି ମାମଲାର ଶୁଣାଣି କରିବେ ଏବଂ ୫ ସପ୍ତାହ ପରେ ଅନ୍ତରୀଣ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ପ୍ରଧାନ ବିଚାରପତି ଏସଏ ବୋବଡ଼େ କହିଛନ୍ତି। ଏମିତିକି ସୁପ୍ରିମକୋର୍ଟ ରାୟ ଦେବା ପୂର୍ବରୁ କୌଣସି ହାଇକୋର୍ଟ ସିଏଏକୁ ନେଇ ରାୟ ଶୁଣାଣି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

By amfnews

Related Post