Sat. Jun 13th, 2026

କାଳିଆ ଟଙ୍କା ଆତ୍ମସାତ୍ ଘଟଣାରେ ସମବାୟ ସମିତିର ସଂପାଦକ ନିଲମ୍ବନ

217 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ସିଙ୍ଗିପୁର ପଞ୍ଚାୟତରେ କାଳିଆ ଟଙ୍କା ଆତ୍ମସାତ୍ ଘଟଣାରେ ଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଜିଲ୍ଲାପାଳ ଧବଳେଶ୍ୱର ସେବା ସମବାୟ ସମିତିର ସଂପାଦକ କୈଳାସ ଚନ୍ଦ୍ର ମଲ୍ଲିକଙ୍କୁ ନିଲମ୍ବନ କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ବାସୁଦେବ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିଙ୍ଗିପୁର ପଞ୍ଚାୟତରେ କାଳିଆ ଟଙ୍କା ପ୍ରଦାନ କରିବାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଆଜି ସକାଳେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଲୋକେ ଅଭିଯୋଗ କରିଥିଲେ ଯେ, କାଳିଆ ଟଙ୍କା ପ୍ରକୃତ ହିତାଧିକାରୀଙ୍କ ‌ଆକାଉଣ୍ଟକୁ ନ ଆସି ଅନ୍ୟ ଲୋକଙ୍କ ଆକାଉଣ୍ଟକୁ ଯାଇଛି। ହିତାଧିକାରୀ ତାଲିକାରେ ନାଁ ଗାଁ ହିତାଧିକାରୀଙ୍କର ଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ଆଉ କାହାର ନାଁ ରହିଥିଲା।

ସେବା ସମବାୟ ସମିତିର ସଂପାଦକ କହିଥିଲେ ଯେ, ସୋସାଇଟି ପକ୍ଷରୁ ବ୍ଲକରେ ଡାଟା ଏଣ୍ଟ୍ରି ପାଇଁ ଅସ୍ଥାୟୀ ଭାବେ ଜଣେ ଯୁବକ ବାସୁଦେବ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା। ସେ ନିଜର ଓ ନିଜ ପରିବାରଲୋକଙ୍କ ଆକାଉଣ୍ଟକୁ ଏଭଳି ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରି ଫେରାର୍ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କର ପ୍ରାୟ ୧୦ ଲକ୍ଷ କାଳିଆ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।

By amfnews

Related Post