Fri. Aug 14th, 2026
193 Views

ଭୁବନେଶ୍ୱର : ଆସନ୍ତାକାଲିଠୁ ତିନି ଦିନ ଯାଏ ରାଜ୍ୟରେ ବର୍ଷା ହେବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ସୁଧାକର ମଲ୍ଲିକ କହିଛନ୍ତି,“ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ।”

ସେ ଆହୁରି କହିଛନ୍ତି,“ଆସନ୍ତାକାଲି ରାଜ୍ୟର ୮ଟି ଜିଲ୍ଲାର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୋଳ ଓ କେନ୍ଦୁଝର। ସେହିପରି ଗୁରୁବାର ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହୋଇପାରେ । ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।”

ଶ୍ରୀ ମଲ୍ଲିକ ଆହୁରି କହିଛନ୍ତି,“ବର୍ଷା ସାଙ୍ଗକୁ ଶୀତ ମଧ୍ୟ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପାରଦ ସ୍ୱାଭାବିକ ତାପମାତ୍ରାରୁ ଏକରୁ ଦୁଇ ଡିଗ୍ରୀ ତଳକୁ ଖସିବ। ସେହିପରି ୪୮ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୩ରୁ ୪ ଡିଗ୍ରୀ କମିବ। ଦାରିଙ୍ଗିବାଡିରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ସେଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି।  ଟିଟିଲାଗଡ଼ରେ ୭.୬ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୯.୦, ଅନୁଗୋଳରେ ୮.୦ ଓ କେନ୍ଦୁଝରରେ ୯.୮ ଡିଗ୍ରୀ ରହିଛି।”

By amfnews

Related Post