Fri. Jul 3rd, 2026

କରୋନାରେ ଆକ୍ରାନ୍ତ ଗୁଜରାଟର କଂଗ୍ରେସ ବିଧାୟକ ଇମ୍ରାନ୍

201 Views

ଅହମଦାବାଦ: ଗୁଜରାଟ କଂଗ୍ରେସର ଜମାଲପୁର-ଖଡିଆର ବିଧାୟକ ଇମ୍ରାନ ଖେଡାଓ୍ୱାଲା କରୋନାରେ ଆକ୍ରାନ୍ତ। ଗତକାଲି ତାଙ୍କର ନମୁନା ପରୀକ୍ଷା ରେଜଲ୍ଟ ଆସିବା ପରେ ସେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତାଙ୍କୁ ଗାନ୍ଧିନଗରରେ ଥିବା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେ କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ନମୁନା ପରୀକ୍ଷା ପାଇଁ କରାଯାଇଥିଲା।

ମଙ୍ଗଳବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ବିଧାୟକ ଯୋଗ ଦେଇଥିଲେ। ଏହି ବୈଠକରେ ଆଉ ଦୁଇଜଣ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ଏବଂ ଗୃହ ରାଜ୍ୟମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ମଧ୍ୟ ସାମିଲ ହୋଇଥିଲେ। ଇମ୍ରାନ୍ ଯେଉଁ ଅଞ୍ଚଳରୁ ବିଧାୟକ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି ସେହି ଅଞ୍ଚଳ କରୋନାରେ ସଂକ୍ରମିତ। ତେଣୁ ଜମାଲପୁର-ଖଡିଆରରେ କର୍ଫ୍ୟୁ ଲାଗୁ ହୋଇଛି।

ଇମ୍ରାନଙ୍କ ଅଞ୍ଚଳ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଲୋକମାନଙ୍କୁ ସହଯୋଗ କରିବାକୁ ଆସି ଅନେକଙ୍କ ସହ ମିଶିଛନ୍ତି। ତେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦୁଇ ମନ୍ତ୍ରୀ ଏକାନ୍ତବାସରେ ରହିବେ କି ନାହିଁ ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ବିଧାୟକ ଇମ୍ରାନ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି। ଅହମ୍ମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଅନେକ ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି।

By amfnews

Related Post