Fri. Jul 3rd, 2026

ଔଦ୍ଧତ୍ୟର ସୀମା ଟପିଲା ପୁରୀ ପୁଲିସ : ସିଂହଦ୍ବାରରେ ମହିଳା ଭକ୍ତଙ୍କୁ ପୁରୁଷ ପୁଲିସର ମାଡ଼, ଭିଡିଓ ଭାଇରାଲ୍‌

271 Views

ପୁରୀ : ସରକାର ଏବେ ପୁଲିସକୁ ଉତ୍ତମ ବ୍ୟବହାରର ପାଠ ପଢାଉଛନ୍ତି। ମାତ୍ର ପୁରୀରେ ଆଜି କିନ୍ତୁ ଭୟଙ୍କର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସିଂହଦ୍ବାରରେ ଡ୍ୟୁଟିରେ ଥିବା ପୁଲିସ କିଭଳି ସମସ୍ତ ହିତାହିତ ଜ୍ଞାନ ଭୁଲିଯାଇଛି ତା’ର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ପୁରୁଷ ପୁଲିସ ମହିଳାଙ୍କୁ ଅସଦାଚରଣ କରୁଥିବା ଓ ଜଣେ ମହିଳା ଭକ୍ତଙ୍କୁ ସର୍ବ ସମ୍ମୁଖରେ ଗଡ଼ାଇ ତଡ଼ାଇ ଗୋଇଠା ବିଧା ମାରୁଥିବା ଦେଖିବାକୁ ମିଳିଛି। ମହିଳା ଭକ୍ତଙ୍କ ପ୍ରତି ପୁଲିସର ଏ ପ୍ରକାର ଆଚରଣ କୌଣସି ଅପରାଧୀଙ୍କଠାରୁ ବି ବଳିଯାଇଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି, ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ବାହାରେ ଏକ ଲମ୍ବାଧାଡ଼ି ଲାଗିଛି। ଧାଡିରେ କିଛି ମହିଳା ଭକ୍ତ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛନ୍ତି। ସେଠାରେ ମହିଳା ପୁଲିସ ମଧ୍ୟ ଦାୟିତ୍ବରେ ଅଛନ୍ତି। ତେବେ ଭିଡ଼ ଭିତରେ ପଶି ପୁରୁଷ ପୁଲିସ ଜଣକ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖାଯାଉଛି। ଜଣେ ମହିଳା ଏହାକୁ ନେଇ ପାଟିତୁଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ମହିଳା ଜଣକ ଆଗକୁ ବଢୁଥିବା ବେଳେ ଜଣେ ପୁରୁଷ ପୁଲିସ ତାଙ୍କ ହାତକୁ ଟାଣି ଧରିବାରୁ ମହିଳା ଜଣକ ବସି ପଡ଼ୁଛନ୍ତି। ଆଉ ପୁଲିସ ‌ତାଙ୍କୁ ଗଡ଼ାଇ ତଡ଼ାଇ ମାରୁଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ତେବେ ଏହି ଭିଡିଓକୁ ନେଇ ଦାୟିତ୍ବରେ ଥିବା ପୁଲିସ କିଛି ଉତ୍ତର ରଖିନାହାନ୍ତି। ଦାୟିତ୍ବରେ ଥିବା ସିଂହଦ୍ବାର ଥାନ‌ା ଅଧିକାରୀ ଲଲି କୁମାରୀ ସାହୁଙ୍କୁ ପଚାରିବାରେ ଏଭଳି ଘଟଣା ଘଟିଥିବା ସ୍ବୀକାର କରିଛନ୍ତି। ଜ‌ଣେ ପୁରୁଷ ପୁଲିସ ମହିଳାଙ୍କୁ ଏଭଳି ବ୍ୟବହାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେବେ ଏ ନେଇ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।

By amfnews

Related Post