Sat. May 16th, 2026

ସ୍ଲିପର୍‌କୁ ଧକ୍କା ଦେଲା ଦୂରନ୍ତ ଏକ୍ସପ୍ରେସ୍‌, ଅଳ୍ପକେ ବର୍ତିଲେ ଗ୍ୟାଙ୍ଗ୍‌ମ୍ୟାନ୍‌ ଓ ଯାତ୍ରୀ

184 Views

ରୁପ୍‌ସା : ଷ୍ଟେସନ୍‌ ନିକଟ‌ରେ ରେଳପଥ ପାଇଁ ବ୍ୟବହୃତ ସ୍ଲିପର ସ୍ଥାନାନ୍ତର ହେଉଥିଲା। ଏତିକିବେଳେ ଦ୍ରୁତଗତିରେ ମାଡ଼ି ଆସିଲା ଟ୍ରେନ୍‌। ଗ୍ୟାଙ୍ଗ୍‌ମ୍ୟାନ୍‌ମାନେ ଜୀବନ ବଂଚାଇବାକୁ ଦୌଡ଼ି ପଳାଇଲେ। ହେଲେ ଧାରଣା ଉପରେ ରହିଯାଇଥିବା ସ୍ଲିପରକୁ ଟ୍ରେନ୍‌ଟି ଧକ୍କା ଦେଇଥିଲା। ଫଳରେ ଇଂଜିନ୍‌ଟିର ବିଭିନ୍ନ ଯନ୍ତ୍ରାଂଶ କାମ କରିବା ବନ୍ଦ କରିଦେଇଥିଲା। ଟ୍ରେନ୍‌ଟି ସୌଭାଗ୍ୟବଶତଃ ଲାଇନ୍‌ଚ୍ୟୁତ୍‌ ହୋଇନଥିବା ବେଳେ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ସୂଚନାଯୋଗ୍ୟ; ଆଜି ଦିନ ପ୍ରାୟ ୨ଟା ବେଳେ ଦକ୍ଷିଣ-ପୂର୍ବ ରେଳବାଇ ଅଧୀନ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ରୁପ୍‌ସା ଷ୍ଟେସନରେ ୭୦ ଜଣ ଗ୍ୟାଙ୍ଗ୍‌ମ୍ୟାନ୍‌ ରେଳପଥ ପାଇଁ ବ୍ୟବହୃତ ସ୍ଲିପର ସ୍ଥାନାନ୍ତର କରୁଥିଲେ। ଏତିକିବେଳେ ହାୱଡ଼ାରୁ ଯଶବନ୍ତପୁର ଯାଉଥିବା ଦୂରନ୍ତ ଏକ୍ସପ୍ରେସ୍‌ (୧୨୨୪୫) ମାଡ଼ିଆସିଥିଲା। ଫଳରେ କାର୍ଯ୍ୟ କରୁଥିବା ଗ୍ୟାଙ୍ଗ୍‌ମ୍ୟାନ୍‌ମାନେ ରେଳ ଧାରଣା ଉପରେ ଏକ ସ୍ଲିପରକୁ ଛାଡ଼ି ଦୌଡ଼ି ପଳାଇଥିଲେ। ଫଳରେ ଟ୍ରେନ୍‌ଟି ଉକ୍ତ ସ୍ଲିପରକୁ ଧକ୍କା ଦେଇଥିଲା। ଯାହାଦ୍ବାରା ଟ୍ରେନ୍‌ ଇଂଜିନ୍‌ର ବିଭିନ୍ନ ଯନ୍ତ୍ରାଂଶ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଏମିତି କି ଦ୍ୱିତୀୟ ବଗି ଜାମ ହୋଇଯାଇଥିଲା। ଏହି ଅଘଟଣ ସତ୍ତ୍ବେ ଟ୍ରେନ୍‌ଟି ସୌଭାଗ୍ୟବଶତଃ ଲାଇନ୍‌ଚ୍ୟୁତ୍‌ ହୋଇନଥିଲା। ଯାତ୍ରୀମାନେ ବି ଅଳ୍ପକେ ରକ୍ଷା ପାଇଯାଇଥିଲେ। ଖବର ପାଇ ବାଲେଶ୍ୱର ଓ ଖଡ଼ଗପୁରରୁ ଏକ ସ୍ବତନ୍ତ୍ର ଟିମ୍ ମରାମତି ପାଇଁ ପହଂଚିଥିଲେ। କିନ୍ତୁ କିଛି ଫଳ ମିଳିନଥିଲା। ଶେଷରେ ଖଡ଼ଗପୁରରୁ ଅନ୍ୟ ଏକ ଇଂଜିନ୍‌ ଆଣାଯାଇଥିଲା। ଉକ୍ତ ଇଂଜିନ୍‌ ଲଗାଯିବା ପରେ ଅପରାହ୍ନ ପାୟ ୫ଟା ବେଳେ ଟ୍ରେନ୍‌ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।

ସୂଚନଯୋଗ୍ୟ; ଆଗକୁ ବଢ଼ିବା ପାଇଁ ଟ୍ରେନ୍‌ ଡ୍ରାଇଭରଙ୍କୁ କୁଆଡ଼େ ସିଗ୍‌ନାଲ୍‌ ମିଳି ନ ଥିଲା। ହେଲେ ଡ୍ରାଇଭର ଜଣକ ଗାଡ଼ି ରୋକି ନ ଥିବା ଅଭିଯୋଗ ହୋଇଛି। ତେଣୁ ଦୁର୍ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଯାତ୍ରୀ ତଥା ସ୍ଥାନୀୟ ଲୋକ ଦାବି କରିଛନ୍ତି।

By amfnews

Related Post