Wed. Sep 30th, 2026

ଓଜେଇଇ ନାଁରେ ନକଲି ବିଜ୍ଞାପନ, ଥାନାରେ ଏତଲା

237 Views

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ନାଁରେ ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଗତ ୨୧ ତାରିଖରେ ଏକ ଗଣମାଧ୍ୟମରେ ଓଜେଇଇ-୨୦୧୯ ନାଁରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ସେଥିରେ ବି.ଟେକ୍‌ କୋର୍ସରେ ନାମଲେଖା ସହ ଓଜେଇଇ ହେଲପ୍‌ଲାଇନ୍‌ ଭାବେ ଦୁଇଟି ମୋବାଇଲ୍‌ ନମ୍ବର ମଧ୍ୟ ଦିଆଯାଇଥିଲା। ଯାହାକୁ ‌ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଥିଲେ। ଉକ୍ତ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଉଠାଇ ନଥିଲେ। ଏନେଇ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସମେତ ଓଜେଇଇ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓପେକା ଦାବି କରିଥିଲା।

ଏନେଇ ଆଜି ଓଜେଇଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଓଜେଇଇ-୨୦୧୯ ସହ ଏହି ବିଜ୍ଞାପନର କୌଣସି ସମ୍ପର୍କ ନାହିଁ। ସେଥିରେ ଲିଖିତ ହେଲପ୍‌ଲାଇନ୍‌ ନମ୍ବର ମଧ୍ୟ ଓଜେଇଇର ନୁହେଁ। ତେଣୁ ବିଜ୍ଞାପନ ସମ୍ପୂର୍ଣ୍ଣ ନକଲି। ଅଭିଭାବକ ଓ ଛାତ୍ରଛାତ୍ରୀ ଏଭଳି ବିଜ୍ଞାପନଠାରୁ ଦୂରେଇ ରହିବା ଆବଶ୍ୟକ। ଓଜେଇଇ ସରକାରୀ ୱେବସାଇଟ୍‌(ojee.nic.in/odishajee.com)ରେ ୨୦୧୯ କାଉନସେଲିଂ ଓ ନାମଲେଖା ସମ୍ପର୍କିତ ସମସ୍ତ ନିୟମାବଳୀ, ସୂଚନା ଓ ନିର୍ଦେଶନାମାକୁ ଅନୁସରଣ କରିବା ପାଇଁ ଓଜେଇଇ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସନ୍ଦେହ ହେଲେ ୦୬୭୪-୨୩୮୨୧୦୧/୨୩୮୨୧୦୮ ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି ଏ ନେଇ ଏୟାରଫିଲ୍ଡ ଥାନାରେ ଏତଲା ଦିଆଯାଇଛି। ଏଥିସହ ପୁଲିସ କମିସନର କାର୍ଯ୍ୟାଳୟ ସମେତ ଓଜେଇଇ ସହ ଯୋଡ଼ି ହୋଇଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଅବଗତ କରାଯାଇଛି।

By amfnews

Related Post