Fri. Jun 12th, 2026

ଠିକାଦାରଙ୍କ ମୁଣ୍ଡ ଜାମିନ ରଖି ୬ ଲକ୍ଷ ଟଙ୍କା ମାଗିବା‌ ଘଟଣା, ୩ ଅପହର୍ତା ଗିରଫ, ବାଇକ ଓ ମୋବାଇଲ୍ ଜବତ

187 Views

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ଅଧୀନ ସପ୍ତସତୀ ମନ୍ଦିର ନିକଟରୁ ଜଣେ ଠିକାଦାରଙ୍କୁ ଅପହରଣ କରି ୬ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିବା ଘଟଣା‌େର ପୁଲିସ ୩ ଅପହର୍ତାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ବାଇକ ଓ ୪ଟି ମୋବାଇଲ୍ ଫୋନ୍‌ ଜବତ ହୋଇଛି। ଅପହର୍ତାମାନେ ହେଲେ ବାଲେଶ୍ବର ଟାଉନ୍‌ ଥାନା ଅଧୀନ ମୋତିଗଞ୍ଜର ସେକ୍ ମୀନାଞ୍ଜ କାଦ୍ରୀ, ବାଲେଶ୍ବର ଆଜିମାବାଦର ସେକ ରାଜା ଓ ସେକ୍ ଇମ୍ରାନ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବିକ୍ରମ ବଳ ନାମକ ଜଣେ ଠିକାଦାର ସତ୍ୟବିହାରରେ ରୁହନ୍ତି। ସେ ସହିଦନଗର ଗଜପତିନଗର ସୈନିକ ସ୍କୁଲ ନିକଟରେ ଏକ ମଲ୍‌ର ଫ୍ଲୋରିଂ କାମ ନେଇଥିଲେ। ତାଙ୍କ ପାଖରେ ସେକ ମୀନାଞ୍ଜ ପେଟି ଠିକାଦାର ଭାବେ କାମ କରନ୍ତି। ବିକ୍ରମ ବିଭିନ୍ନ ଆଡୁ କାମ ଆଣୁଥିବା ଦେଖି ମୀନାଞ୍ଜ ଈର୍ଷା ପରାୟଣ ହୋଇ ଉଠିଥିଲା। ସେ ବିକ୍ରମଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି କିଛି ଟଙ୍କା ଆଦାୟ କରିବେ ବୋଲି ଯୋଜନା କରିଥିଲା। ଯୋଜନା ମୁତାବକ, ଚଳିତ ମାସ ୨୧ ତାରିଖ ମୀନାଞ୍ଜ ଓ ତାର ସହଯୋଗୀମାନେ ସପ୍ତସତୀ ମନ୍ଦିର ନିକଟରୁ ବିକ୍ରମଙ୍କୁ ଏକ ନାଲି ରଙ୍ଗର ବୋଲେରୋରେ ଅପହରଣ କରି ନେଇଥିଲେ। ଏନେଇ ବିକ୍ରମଙ୍କ ଭାଇ ରାକେଶ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଏହି ସମୟରେ ଅପହର୍ତାମାନେ ବିକ୍ରମଙ୍କ ବାପା ଗୋପବନ୍ଧୁଙ୍କ ମୋବାଇଲ୍‌କୁ କଲ କରି ୬ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ବିକ୍ରମଙ୍କୁ ସେମାନେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପୁଲିସ ସେହି ମୋବାଇଲ୍ ନମ୍ବରକୁ ଟ୍ରାକ୍‌ କରି ଜାଣିବାକୁ ପାଇଥିଲା କି ଅପହର୍ତମାନେ ବାଲେଶ୍ବର ଅଞ୍ଚଳର। ପରେ ମଞ୍ଚେଶ୍ବର ଥାନା ପୁଲିସର ଏକ ଟିମ ବାଲେଶ୍ବର ଯାଇ ବିକ୍ରମଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ବାଇକ ଜବତ କରିଥିଲା।

ଏହି ଘଟଣାରେ ଗୁଡୁ ଓ ତାର ୪ ସହଯୋଗୀ ଫେରାର ଅଛନ୍ତି। ଅପହରଣରେ ବ୍ୟବହାର ହୋଇଥିବା ବୋଲେରୋକୁ ପୁଲିସ ଜବତ କରି ପାରିନାହିଁ। ଖୁବ୍ ଶୀଘ୍ର ଅନ୍ୟମାନେ ଗିରଫ ହେବେ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

By amfnews

Related Post