Sun. Sep 6th, 2026
313 Views

ଭୁବନେଶ୍ୱର : ଅଲୋଡ଼ା ହୋଇପଡ଼ିଥିବା ଅନୁଭବ କରି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହା ପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହା ପରେ ଦାମ କ’ଣ କରିବେ? ଆଉ କେଉଁ ଦଳକୁ ଯିବେ? ଏନେଇ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମୋଟାମୋଟି ଭାବେ ଦାମ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା କଥା କହିଛନ୍ତି। ସେ କହିଛନ୍ତି, “ମୋ ବୟସ ଅଧିକ ହୋଇଗଲାଣି। ପୁଅ ବି ବିଧାୟକ ହେଲାଣି। ତେଣୁ ନିର୍ବାଚନ ରାଜନୀତିରେ ଆଉ ଘାଣ୍ଟିଚକୁଟି ହେବାର ଆବଶ୍ୟକତା ନାହିଁ। ମୁଁ ଆଉ ନିର୍ବାଚନ ରାଜନୀତିରେ ଅଂଶ ଗ୍ରହଣ କରିବି ନାହିଁ। ଆଉ କେଉଁ ଦଳକୁ ଯାଇ ଯୋଗ ଦେବାର ମାନସିକତା ରଖି ନାହିଁ।”

ଶ୍ରୀ ରାଉତ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଆଉ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ କରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, “ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତଭାବେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରୁଛି।”

ଅବଶ୍ୟ ପୁଣି ବିଜେଡିକୁ ଫେରିବେ କି ବୋଲି ପଚରା ଯିବାରେ ଦାମ କହିଛନ୍ତି, “ସେ ବେଳ ଯେତେବେଳେ ଆସିବ, ସେତେବେଳେ ମୁଁ ବିଚାର କରିବି। ଆଗରୁ କେମିତି କହିବି?”

ସୂଚନାଯୋଗ୍ୟ, ଦୀର୍ଘ ସାଢ଼େ ଚାରି ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ରହିଥିବା ଦାମୋଦର ରାଉତ ୩୫ ବର୍ଷ ବିଧାୟକ ହୋଇଥିଲେ। ପ୍ରାୟ ୬ ଥର ସେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ସେ ବାଲିକୁଦ-ଏରସମା ବିଧାନସଭା ଆସନରୁ ବିଧାନସଭା ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ହାରି ଯାଇଥିଲେ।

By amfnews

Related Post