Fri. May 15th, 2026

‘ଇମ୍ରାନ ଖାନ୍ ଜଣେ ଅଭ୍ୟାସଗତ ମିଛୁଆ ଏବଂ ଆତଙ୍କବାଦୀଙ୍କ ଓକିଲ’

187 Views

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜଣେ ଅଭ୍ୟାସଗତ ମିଛୁଆ ଏବଂ ଆତଙ୍କବାଦୀଙ୍କ ଓକିଲ। ପାକିସ୍ତାନର ବିରୋଧୀ ଦଳର ଜଣେ ନେତା ବୁଧବାର ଏହା କହିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶକୁ ଏକକୀକରଣର ବାର୍ତ୍ତା ଦେବା ବଦଳରେ ଦେଶକୁ ଭ୍ରମିତ କରିଛନ୍ତି ବୋଲି ଦଳର କେତେକ ନେତା କହିଛନ୍ତି।

‘ୟୁଏସ ଥିଙ୍କ ଟ୍ୟାଙ୍କ’ରେ ଇମ୍ରାନ ଖାନ୍ ତାଲିବାନ ଆତଙ୍କବାଦୀ ପ୍ରସଙ୍ଗରେ ନିଜର ମତ ରଖିବାକୁ ନେଇ ବିରୋଧୀ ପାକିସ୍ତାନ ପିପୁଲସ ପାର୍ଟି (ପିପିପି) କହିଛି, ସେ ବିନା ଦାଢ଼ି ରଖିଥିବା ଜଣେ ତାଲିବାନ୍ ଖାନ୍। ଇମ୍ରାନ୍ ଜଣେ ଦୂର୍ନୀତିଖୋର ବ୍ୟକ୍ତି ଏବଂ ଆତଙ୍କବାଦୀଙ୍କ ଓକିଲ। ମିଛ କହୁଥିବାରୁ ଅନ୍ତର୍ଜାତୀୟ ସ୍ତରରେ ସେ ପୁରସ୍କାର ପାଇବା ଉଚିତ୍ ବୋଲି ପିପିପିର ମହାସଚିବ ନଫିଶ ଶାହ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଇମ୍ରାନ୍ କେବେ ହେଲେ ଗଣତନ୍ତ୍ରକୁ ସମ୍ମାନ ଦିଅନ୍ତି ନାହିଁ ସେ ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳେ ସେ ସଂସଦକୁ ବାହାରୁ ଆକ୍ରମଣ କରିଥିଲେ। ଏବେ ସେ ସରକାରରେ ଥାଇ ସଂସଦକୁ ଭିତରୁ ଆକ୍ରମଣ କରୁଛନ୍ତି।

ସେହିପରି ପାକିସ୍ତାନର ମୁଖ୍ୟ ବିରୋଧୀ ଦଳ ପିଏମଏଲ-ଏନର ଅଧ୍ୟକ୍ଷ ତଥା ପାକିସ୍ତାନ ସଂସଦର ବିରୋଧୀ ଦଳ ନେତା ଶାହବାଦ ଶରିଫ କହିଛନ୍ତି ଆମେରିକାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଥିଲେ, ଦେଶରେ ମିଡିଆକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। ଏହା ତାଙ୍କ ଏକଛତ୍ରବାଦୀ ଶାସନର ପ୍ରତିଫଳନ ବୋଲି ଶାହବାଦ କହିଛନ୍ତି। ଇମ୍ରାନଙ୍କ ଶାସନରେ ଦେଶର ମିଡିଆ ଅନେକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି।

ଆମେରିକା ଯାଇ ନଓ୍ୱାଜ ସରିଫଙ୍କ ବାବଦରେ କହିବା ପରିବର୍ତ୍ତେ ଇମ୍ରାନ ଦେଶ ସାମ୍ନା କରୁଥିବା ଚ୍ୟାଲେଞ୍ଜ ସମ୍ପର୍କରେ କହିବା ଦରକାର ଥିଲା ବୋଲି ଶାହବାଦ ସରିଫ୍ କହିଛନ୍ତି। ଏପରି କହି ଇମ୍ରାନ୍ ପ୍ରମାଣ କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ଅଯୋଗ୍ୟ ବ୍ୟକ୍ତି।

ସୂଚନାଯୋଗ୍ୟ,ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ଇମ୍ରାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ଆଲୋଚନା ସଫଳ ହୋଇଛି ବୋଲି ସେ କହିଥିଲେ।

By amfnews

Related Post