Sun. Sep 27th, 2026
320 Views

ଭୁବନେଶ୍ୱର  :  ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଆଜି ତିନୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ ଓ ଗଜପତି। ଏହାସହ ୫ଟି ଜିଲ୍ଲା ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ  ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ  ପ୍ରଭାତ କିଶୋର ବେଉରିଆ କହିଛନ୍ତି,“‘ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାସହ ଆଉ ଏକ ଘୂର୍ଣ୍ଣି ବଳୟ ମଧ୍ୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୨୫ ତାରିଖ ଯାଏ ଏହି ବର୍ଷା ଲାଗି ରହିବ।” ସେ ଆହୁରି କହିଛନ୍ତି,“ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏ ନେଇ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି।”

ଗଜପତି ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି। ବର୍ଷାର ପରିମାଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।  ଜିଲ୍ଲାର ୭ଟି ବ୍ଲକର ବିଡିଓମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ।  ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନ କରାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ  ଗୋପାଳପୁରରେ ୨୧.୭ ମିଲିମିଟର ଓ ପୁରୀରେ ୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

By amfnews

Related Post