Fri. Jul 3rd, 2026

୮ ଓ ୯ ତାରିଖ ଧର୍ମଘଟକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମର୍ଥନ

196 Views

ଭୁବନେଶ୍ବର , ଜାନୁଆରୀ ୬ : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଚଳିତ ମାସ ୮ ଓ ୯ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରାକୁ ବିଭିନ୍ନ ସ୍ତରରୁ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ସିପିଆଇ ସମର୍ଥନ ପ୍ରଦାନ କରିଥିବା ବେଳେ ଆଜି ସମର୍ଥନର ହାତ ବଢ଼ାଇଛି ବିଜୁ ଶ୍ରମିକ ସ‌ାମ୍ମୁଖ୍ୟ। ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡ଼ିବା ପରେ ଏହି ଘୋଷଣା କରିଛନ୍ତି ସାମ୍ମୁଖ୍ୟର ମହାସଚିବ ସୁବାସ ସିଂହ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆର୍ଥିକ ମାରଣ ନୀତି, ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, କର୍ପୋରେଟ୍‌ ସ୍ବାର୍ଥରେ ଶ୍ରମ ଆଇନ ସଂଶୋଧନ, ଟ୍ରେଡ୍‌ ୟୁନିଅନ ସ୍ବାଧୀନତା ଉପରେ ଆକ୍ରମଣ, ରାଷ୍ଟ୍ରାୟତ୍ତ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ବ୍ୟାଙ୍କ୍‌ଗୁଡ଼ିକୁ ମିଶ୍ରଣ କରିବା ଓ ଘରୋଇକରଣକୁ ବିରୋଧ କରିବା, ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା, ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଦେବା, ସର୍ବନିମ୍ନ ପେନ୍‌ସନ୍‌ ମାସିକ ୬ ହଜାର ଦେବା, ବେକାରି ସମସ୍ୟା ଦୂର କରିବା, ସମସ୍ତ ସ୍ତରର ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଭୃତି ଦାବି ଅତ୍ୟନ୍ତ ଯୁକ୍ତିଯୁକ୍ତ ରହିଛି। ଏଣୁ ସାମ୍ମୁଖ୍ୟ ସହାୟତାର ହାତ ବଢ଼ାଇଛି ବୋଲି ସେ କହିଛନ୍ତି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ‌କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତା ଭେଟି ସହଯୋଗ ପାଇଁ ଅନୁରୋଧ କରିଥିଲେ। କଂଗ୍ରେସରୁ ମଧ୍ୟ ଏଥିପାଇଁ ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିବା ସୌରୀବନ୍ଧୁ କର, ରାମକୃଷ୍ଣ ପଣ୍ଡା, ଯୋଗେନ୍ଦ୍ର ତ୍ରିପାଠୀ, ଲ‌େମ୍ବାଦର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ମହେନ୍ଦ୍ର ପରିଡ଼ା ପ୍ରମୁଖ ଜଣାଇଛନ୍ତି। ସିପିଆଇ, କଂଗ୍ରେସ, ବିଜେଡି ଶ୍ରମିକ ସାମ୍ମୁଖ୍ୟର ସମର୍ଥନ ଥିବାରୁ ଧର୍ମଘଟର ଗୁରୁତ୍ବ ବଢ଼ିଛି। ଉଲ୍ଲେଖନୀୟ ଯେ, ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌, ସ୍ବାଧୀନ ଫେଡେରେସନ୍‌ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ବାରା ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି।

By amfnews

Related Post