Fri. Jul 3rd, 2026

୩୦ ବର୍ଷ ଧରି ୩ଟି ପୋଷ୍ଟ୍‍ରୁ ଦରମା ନେଉଥିଲେ ସରକାରୀ ଇଞ୍ଜିନିୟର୍‌

259 Views

ପାଟନା  : ବିହାର ସରକାରଙ୍କ ଅଧୀନରେ ଜଣେ ସହକାରୀ ଯନ୍ତ୍ରୀ ଏକ ସମୟରେ ତିନୋଟି ପୃଥକ୍‌ ପଦବୀରେ କାମ କରି ସମ୍ପୃକ୍ତ ବିଭାଗରୁ ୩୦ ବର୍ଷ ଧରି ଦରମା ନେଉଥିଲେ। ପ୍ରତ୍ୟେକ ପଦବୀରେ ସେ ନିର୍ଦ୍ଧାରିତ ସମୟଭିତ୍ତିକ ପଦୋନ୍ନତି ମଧ୍ୟ ପାଉଥିଲେ।

ନିକଟରେ କିନ୍ତୁ, କମ୍ପ୍ରିହେନ୍‌ସିଭ୍‌ ଫାଇନାନ୍‌ସିଆଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ (ସିଏଫ୍‌ଏମ୍‌ଏସ୍‌) ଯୋଗୁଁ ସୁରେଶ ରାମ ନାମକ ପାଟନା ଜିଲ୍ଲାର ବାହାଉଲ୍‌ ଗାଁର ବାସିନ୍ଦା ସେ ଇଞ୍ଜିନୟର୍‌ଙ୍କ ଦଶା ଖରାପ ପଡ଼ିଗଲା। ବିହାରର ସବୁ ସରକାରୀ କର୍ମଚାରୀଙ୍କ ଆଧାର, ଜନ୍ମ ତାରିଖ ଏବଂ ପାନ୍‌ ଏଥିରେ ପଞ୍ଜିକୃତ ହେବାରୁ ରାମଙ୍କ ଜାଲିଆତି ଧରାପଡ଼ିଗଲା। ସୁରେଶଙ୍କ ସହକର୍ମୀ ମଧୁସୂଦନ କୁମାର କର୍ଣ୍ଣଙ୍କ ଅଭିଯୋଗ କ୍ରମେ ତାଙ୍କ ନାମରେ ଗତ ସପ୍ତାହରେ କିଷନଗଞ୍ଜ ଥାନାରେ ଏଫ୍‌ଆଇଆର୍‌ ଫାଇଲ୍‌ କରାଯାଇଥିଲା।

ଆଉ ଦୁଇ ବର୍ଷ ମଧ୍ୟରେ ଅବରସର ଗ୍ରହଣ କରିବାକୁ ଥିବା ସୁରେଶ ଏବେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଚଳାଇଛି।

ଏଫ୍‌ଆଇଆର୍‌ ଅନୁସାରେ, ଫେବ୍ରୁଆରି ୨୦, ୧୯୮୮ରେ ସୁରେଶଙ୍କୁ ପ୍ରଥମେ ରାଜ୍ୟ ସଡ଼କ ନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା। ପରବର୍ଷ ତାଙ୍କୁ ଜଳ ସମ୍ପଦ ବିଭାଗରେ ଚାକିରି ମଳିଲା ଏବଂ ସେଇ ଏକା ସହରରେ ସେ ଜୁଲାଇ ୨୮ ତାରିଖ ୧୯୮୯ ମସିହାରେ ନିଯୁକ୍ତ ହୋଇଥିଲେ। ପୁଣି ସେଇ ବର୍ଷ ସୁରେଶଙ୍କୁ ଜଳ ସମ୍ପଦ ବିଭଗ ଅଧୀନରେ ଆଉ ଗୋଟିଏ ଚାକିରି ମିଳିଲା, ଏବଂ ସେ ସୁପାଉଲ୍‌ ଜିଲ୍ଲାର ଭୀମ ନଗର ପୂର୍ବ ଘେରିବନ୍ଧ ଠାରେ ନିଯୁକ୍ତ ହୋଇଥିଲେ।

ତା’ପରେ ଏପ୍ରିଲ୍‌ ୧୦, ୨୦୧୮ରେ ସଡ଼କ ନିର୍ମାଣ ବିଭାଗରେ ତାଙ୍କର ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ହୋଇଥିଲା। ଜୁନ୍‌ ୧୭, ୨୦୦୫ରେ ଜଳସମ୍ପଦ ବିଭାଗରେ ମଧ୍ୟ ପଦୋନ୍ନତି ହୋଇଥିଲା। ସିଏଫ୍‌ଏମ୍‌ଏମ୍‌ ଲାଗୁ ନ ହୋଇଥିଲେ ଗୋଟିଏ ପରେ ଗୋଟିଏ ପଦବୀରୁ ସୁରେଶ ଅବସର ନେଇ ଥାଆନ୍ତେ।

କେତେକ କାଗଜପତ୍ରରେ ତାଳମେଳ ନ ରହିଥିବା ଦେଖି ଜୁଲାଇ ୨୨ ତାରିଖ ଦିନ ଡେପୁଟି ସେକ୍ରେଟେରି ସୁରେଶଙ୍କୁ ଜଳସେଚନ ବିଭାଗର ସମସ୍ତ କାଗଜପତ୍ର ଆଣିବାକୁ କହିଲେ। କିନ୍ତୁ, ସେ ଆସିଲେ ନାହିଁ। ମାମଲାରେ ଏଫ୍‌ଆଇଆର୍‌ ଦେବାକୁ ଅଗଷ୍ଟ ୯ ତାରିଖ ଦିନ ସେକ୍ରେଟେରି ଆଦେଶ ଦେଲେ।

ଏକ ସମୟରେ ସୁରେଶ କିଭଳି ତିନୋଟି ପୃଥକ୍‌ ବିଭାଗରେ ଓ ସ୍ଥାନରେ ଦୀର୍ଘ ଦିନ ହେବ କାମ କରି ଦରମା ପାଉଥିବା କଥା ସାଧାରଣ ପ୍ରଶାସନ ବିଭାଗରେ ନିଯୁକ୍ତ ହୋଇଥିବା ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଧରିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା।

By amfnews

Related Post