Tue. Jun 30th, 2026
357 Views

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ଲାଗି ଆଜି ରାଜଧାନୀର ୟୁନିଟ୍-୪ ମାର୍କେଟ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏହାସହିତ ୟୁନିଟ୍-୪ ହାଟକୁ ବିଏମସି ବନ୍ଦ କରୁଥିବା ଜଣାଯାଇଛି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
କେତେକ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ୟୁନିଟ୍‌-୪ ମାର୍କେଟ୍‌କୁ ସିଲ୍‌ କରାଯାଇଛି। ଏହାଛଡ଼ା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ ବନ୍ଦ ରହିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୂଆପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ ବିଏମ୍‌ସି ଆଜି କଣ୍ଟେନମେଣ୍ଟ ଜୋନ୍‌ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା କରିଛି।

ତଦନୁଯାୟୀ, ଆସନ୍ତାକାଲିଠାରୁ ଡ. ମିଲନ ପାଲିତଙ୍କ ଘରଠାରୁ ସୀତାପୁର ବସ୍ତି ପର୍ଯ୍ୟନ୍ତ ଅଞ୍ଚଳକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା ଏଠାରେ ରହୁଥିବା ଲୋକେ ବାହାରକୁ ଯାଇପାରିବେ ନାହିଁ। ଅପରପକ୍ଷେ ତ୍ରିନାଥବସ୍ତି ଅଞ୍ଚଳ‌ରେ ଆଲ୍ଲାହାବାଦ ବ୍ୟାଙ୍କରୁ-ଦୁର୍ଗାମଣ୍ଡପ-ତାରିଣୀ ମନ୍ଦିର-କବାଡ଼ି ଦୋକାନ ଓ ନାବାର୍ଡ ପଛପଟକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ଓ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ।

By amfnews

Related Post