Mon. May 20th, 2024

ହ୍ରାସ ପାଇଲା ବିଜେପିର ଲୋକସଭା ସିଟ୍, ୨୮୨ରୁ ପହଞ୍ଚିଲା ୨୭୩ରେ

By amfnews May 31, 2018 #Featured
170 Views

ନୂଆଦିଲ୍ଲୀ,ମେ୩୧: ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୨୮୨ ଲୋକସଭା ସିଟରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିଥିଲା। ଗୃହରେ ପୂର୍ଣ୍ଣ ବହୁମତଠୁ ଏହା ୧୦ ସିଟ୍ ଅଧିକ। ଏବେ ୨୦୧୮ର କଥା କୁହାଯାଏ ତେବେ ମେ ୩୧ ପର୍ୟ୍ୟନ୍ତ ବିଜେପି ପାଖରେ ରହିଛି ୨୭୩ ସିଟ୍। ଏଥିରେ ଲୋକସଭାର ବାଚସ୍ପତିଙ୍କୁ ସାମିଲ କରାଯାଇ ନାହିଁ। ବିଜେପି ପାଖରେ ଏବେ ସଂଖ୍ୟା ଗରିଷ୍ଠତା ରହିଛି। ଏହା ସହିତ ସହଯୋଗୀଙ୍କ ୧୨ଟି ସିଟ୍ ରହିଛି ଯାହା ମୋଦୀ ସରକାରଙ୍କୁ ସଂସଦରେ ମଜଭୁତ ପ୍ରଦାନ କରୁଛୁ।

ଉପ ନିର୍ବାଚନରେ ପରାଜିତ ହେବା ପରେ ୨୦୧୪ରୁ ଏପର୍ୟ୍ୟନ୍ତ ବିଜେପି ୮ଟି ଲୋକସଭା ସିଟ୍ ହରାଇ ସାରିଛି। ଏଥିରୁ ଏହା ସ୍ପଷ୍ଟ  ହୋଇଛି ଯେ ୨୦୧୯ରେ କ୍ଷମତାକୁ ଫେରିବାକୁ ହେଲେ ପାର୍ଟିକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିଜେପିର ଲୋକସଭା ସିଟ୍ ୨୮୨ରୁ ୨୭୩ କେମିତି ପହଞ୍ଚିଲା। ପ୍ରଥମେ ବିଜେପିର ୟେଦୁରପ୍ପା ଓ ବି ଶ୍ରୀରାମୁଲୁ ଲୋକସଭାରୁ ଇସ୍ତଫା ଦେଲେ।  ଉଭୟ କର୍ଣ୍ଣାଟକ ବିଧାନସଭାର ସଦସ୍ୟ ରୂପେ ଶପଥ ନେଲେ। ଏହା ପରେ ଏହି ଦୁଇଟି ସିଟରୁ କର୍ଣ୍ଣାଟକରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ଏହି ପରାଜୟ ବିଜେପି ପାଇଁ ସବୁଠୁ ବଡ଼ ଆତ୍ମମନ୍ଥନର ବିଷୟ ହୋଇଥିଲା।  ଏହି କ୍ରମରେ ୧୩ ଲୋକସଭା ସିଟରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ୮ଟି ସିଟରେ ପରାଜୟର ସାମ୍ନା କରିବାକୁ ପଡ଼ିଲା। ଏଥିରୁ ଗୁରୁବାର ଆସିଥିବା ନିର୍ବାଚନୀ ପରିଣାମର ସିଟ୍ ମଧ୍ୟ ସାମିଲ ଅଛି।

ଏଥିରୁ ୟୁପିର କୈରାନା ସିଟ୍ ବିଜେପି ପାଇଁ ସବୁଠୁ ଅଧିକ ମହତ୍ଵ ବହନ କରୁଛି। ଏହି ସିଟ୍ ପାର୍ଟିର ବଡ଼ ନେତା ହୁକୁମ ସିଂହଙ୍କ ଦେହାନ୍ତ ପରେ ଖାଲି ପଡିଥିଲା। ଏହି ସିଟରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଆରଏଲଡି ପ୍ରାର୍ଥୀଙ୍କ ହାତରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ଏହା ପୂର୍ବରୁ ବିଜେପି ଗୋରଖପୁର ଓ ଫୁଲପୁର ସିଟରେ ଏସପି ଓ ବିଏସପି ମେଣ୍ଟ ହାତରୁ ପରାଜିତ ହୋଇଥିଲା। ଏହି ସିଟ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟଙ୍କ ଇସ୍ତଫା ପରେ ଖାଲି ପଡିଥିଲା। ଏହା ବ୍ୟତୀତ ମହାରାଷ୍ଟ୍ରର ଭଣ୍ଡାରା ଗୋନ୍ଦିଆ ସିଟ୍ ପାର୍ଟି ହାତରୁ ଚାଲି ଯାଇଛି। ଏହି ସିଟରୁ ବିଜେପିର ସାଂସଦ ନାନା ପଟୋଲେଙ୍କ ଇସ୍ତଫା ପରେ ଖାଲି ପଡିଥିଲା।

ଏହି କ୍ରମରେ ୟୁପି ବ୍ୟତୀତ ବିଜେପି ନିଜର ସାଂସଦ ଦୀଲିପ ସିଂହ ଭୁରିଆଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରଦେଶରେ ରତଲାମ ସିଟରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟ ପଟେ ପଞ୍ଜାବର ଗୁରୁଦାସପୁର ସାଂସଦ ବିନୋଦ ଖନ୍ନାଙ୍କ ନିଧନ ପରେ ସେଠରେ ହୋଇଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିକୁ ସମଦଶା ଭୋଗିବାକୁ ପଡ଼ିଥିଲା। ଏହି ପରି ବିଜେପି ରାଜସ୍ଥାନତ ଅଜମେର ଓ ଅଲଓ୍ଵର ସିଟରେ  ହୋଇଥିବା ନିର୍ବାଚନରେ ପରାଜିତ ହୋଇଥିଲା।

ବିଜେପିକୁ ସବୁଠୁ ବଡ଼ ଝଟକା କର୍ଣ୍ଣାଟକରେ ଲାଗିଥିଲା।  ଏଠାରେ ସବୁଠୁ ବଡ଼ ପାର୍ଟି ହେବା ପରେ ମଧ୍ୟ ବିଜେପି ସରକାର ଗଠନ କରିବାରେ ବିଫଳ ହୋଇଥିଲା। ଏହି ସବୁ କଥାରୁ ସଙ୍କେତ ମିଳୁଛି ଯେ ପାର୍ଟିକୁ ଆଗାମୀ ସମୟରେ ବସିବାକୁ ସମୟ ନାହିଁ। ୨୦୧୯ରେ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ବିଜେପି ନିଜର ରଣନୀତି ଉପରେ ପୁର୍ନବାର ବିଚାର କରିବାକୁ ପଡ଼ିବ। ଏହା ସହିତ ସହଯୋଗୀଙ୍କୁ ସାଥିରେ ନେଇ ଆଗକୁ ବଢିବାକୁ ପଡ଼ିବ।

By amfnews

Related Post