Mon. May 20th, 2024

ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ସ୍ଵର୍ଣ୍ଣ ଜିତାଇଥିବା ସଞ୍ଜିତା ଡୋପ ଟେଷ୍ଟରେ ବିଫଳ

By amfnews May 31, 2018 #Featured
232 Views

ଲକ୍ଷ୍ନୌ,ମେ୩୧: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ଵର୍ଣ୍ଣ ପଦକ ବିଜେତା ଭାରତ୍ତୋଳନକାରୀ ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି।  ଜାତୀୟ ଭାରତ୍ତୋଳନ ମହାସଂଘ(ଆଇଡବ୍ଲ୍ୟୁଏଫ) ଗୁରୁବାର ଏହି ସୂଚନା ଦେଇଛନ୍ତି।  ଏହି ଘୋଷଣା ପରେ ସଞ୍ଜିତା ଚାନୁଙ୍କୁ ସ୍ଵର୍ଣ୍ଣ ପଦକ ଫେରାଇବାକୁ ପଡ଼ିବ।  ଏହା ସହିତ ଆଇଡବ୍ଲ୍ୟୁଏଫ ସଞ୍ଜିତାଙ୍କୁ ଅନିର୍ଦ୍ଧିଷ୍ଟକାଳ ପର୍ୟ୍ୟନ୍ତ ନିଲମ୍ବନ କରିଛି। ଏହା ସହିତ ଗୋଲ୍ଡ କୋଷ୍ଟରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ଭାରତ ଜିତିଥିବା ସ୍ଵର୍ଣ୍ଣ ପଦକ ସଂଖ୍ୟା ମଧ୍ୟ ହ୍ରାସ ପାଇବ।

ଭାରତ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୬ଟି ସ୍ଵର୍ଣ୍ଣ ପଦକ ଜିତିଥିଲା। ଯେଉଁଥିରୁ ୫ଟି ସ୍ଵର୍ଣ୍ଣ ପଦକ ଭାରତ ଭାରତ୍ତୋଳନରୁ ଜିତିଥିଲା। ଏଥିରୁ ୩ଟି ପଦକ ମହିଳା ହିଁ ଜିତିଥିଲେ। ଉଲ୍ଲେଖଯୋଗ୍ୟ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ରେ ଭାରତର ମହିଳା ଭାରତ୍ତୋଳନକାରୀ ସଞ୍ଜିତା ଚାନୁ ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ଵିତୀୟ ଦିନରେ ଏପ୍ରିଲ ୬ରେ ଭାରତକୁ ସ୍ଵର୍ଣ୍ଣ ପଦକ ଦେଇଥିଲେ।

ସଞ୍ଜିତା ନିଜର ଦମଦାର ପ୍ରଦର୍ଶନ ଦମରେ ଏକତରଫା ପ୍ରଦର୍ଶନ କରି ମହିଳାଙ୍କ ୫୩ କିଗ୍ରା ବର୍ଗରେ ଭାରତକୁ ସ୍ଵର୍ଣ୍ଣ ପଦକ ଜିତାଇ ଇତିହାସ ରଚିଥିଲେ। ସଞ୍ଜିତା  ସ୍ନେଚ ରାଉଣ୍ଡରେ ପ୍ରଥମ ପ୍ରୟାସରେ ୮୧ କିଲୋଗ୍ରାମର ଓଜନ ଉଠାଇଥିଲେ। ଏହି ପରି ଦ୍ଵିତୀୟ ପ୍ରୟାସରେ ୮୪ ଏବଂ ତୃତୀୟ ପ୍ରୟାସରେ ୮୪ କିଲୋଗ୍ରାମ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂତନ ରେକର୍ଡ ସ୍ଥାପନ କରିଥିଲେ।

ଅନ୍ୟ ପଟେ କ୍ଲିନ ଆଣ୍ଡ ଜର୍କ ମୁକାବିଲାରେ ଭାରତର ସଞ୍ଜିତା ଚାନୁ ପ୍ରଥମେ ପ୍ରୟାସରେ ୧୦୪ କିଗ୍ରାର ଓଜନ ଉଠାଇଥିଲେ। ଦ୍ଵିତୀୟ ପ୍ରୟାସରେ ସେ ୧୦୮ କିଲୋଗ୍ରାମର ଓଜନ ଉଠାଇ ଭାରତକୁ ସ୍ଵର୍ଣ୍ଣ ଜିତାଇଥିଲେ। ଏହି ପରି ଚାନୁ ମୋଟ୍ ୧୯୨ କିଲୋଗ୍ରାମ ଓଜନ ଉଠାଇଥିଲେ। ସେ ଫାଇନାଲ ମୁକାବିଲାରେ ପିଏନଜିର ଲୋଆ ଡିକାଙ୍କୁ ମାତ୍ ଦେଇଥିଲେ।

By amfnews

Related Post