Tue. May 7th, 2024

ହେକେଟ୍ ରୋଡ଼ ବନ୍ଦ ନେଇ ବଢ଼ୁଛି ସାଧାରଣରେ ଅସନ୍ତୋଷ

rklsanchar@gmail.com' By J.N. Pradhan Jun 26, 2018 #Featured
178 Views

ରାଉରକେଲା, ୨୬/୬: ହେକେଟ ରୋଡ଼ ବନ୍ଦ ପ୍ରସଙ୍ଗକୁ ନେଇ ଦକ୍ଷିଣ ରାଉରକେଲାବାସୀଙ୍କ ମଧ୍ୟରେ ଅଶାନ୍ତି ଲାଗିରହିଛି । ଟନେଲ୍ ନ.୯ରେ ଗତ ୩ତାରିଖରେ ପଶି ମୃତ୍ୟୁବରଣ କରିଥିବା ସମସ୍ତ ଯୁବକଙ୍କ ଗଳିତ ଶବ ଉଦ୍ଧାର ପରେ ଏହି ରୋଡ଼ ଖୋଲିଯିବ ବୋଲି ଲୋକେ ଆଶା କରିଥିଲେ । ମାତ୍ର ତାହା ନ ହେବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ଓ ଅସନ୍ତୋଷ ଲାଗି ରହିଛି । ଆସନ୍ତାକାଲି ବିଭିନ୍ନ ସ୍କୁଲ ଖୋଲୁଥିବାରୁ ସେପଟୁ ଆସି ଡିପିଏସ୍ ସମେତ ବିଭିନ୍ନ ଇଂରାଜୀମାଧ୍ୟମ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ସ୍ୱାଭାବିକ ସମସ୍ୟା ବଢ଼ିବ ।

ଜାତୀୟ ରାଜପଥ ଦେଇ ପ୍ରାୟ ୫କିମିରୁ ଅଧିକ ବୁଲିବାକୁ ପଡ଼ିବା ସମ୍ଭାବନା ଥିବାରୁ ଲୋକଙ୍କ ମଧ୍ୟରେ ସ୍ୱାଭାବିକ ବଢ଼ୁଛି ଅସନ୍ତୋଷ । ଗତକାଲି ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଞ୍ଚ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇ ଜନସାଧାରଣ, ଜନପ୍ରତିନିଧି, ଯୁବବର୍ଗ, ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ବରିଷ୍ଠ ନାଗରିକଙ୍କ ମତାମତ ନିଆଯାଇଥିବା ବେଳେ, ସମସ୍ତେ ଏହି ରାସ୍ତାକୁ ତୁରନ୍ତ ଖୋଲିବା ପାଇଁ ମତପ୍ରକାଶ କରିଥିଲେ । ଆଜି ପୂର୍ବାହ୍ନରେ ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଞ୍ଚର ସଦସ୍ୟମାନେ ଏକଜୁଟ୍ ହୋଇ ଏହି ସମସ୍ୟା ସମସ୍ୟା ସମ୍ବନ୍ଧରେ ରାଉରକେଲା ଅତିରିକ୍ତ ଜିଲାପାଳ(ଏଡ଼ିଏମ)ଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ରାସ୍ତା ଯେପରି ଅତିଶୀଘ୍ର ଜନସାଧାରଣଙ୍କ ନିମନ୍ତେ ଖୋଲାଯିବ ଏଥିପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ ।

ଏହି ଅବସରରେ ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଞ୍ଚ ପକ୍ଷରୁ ଅଜୟ ଶର୍ମା,ରାଜକିଶୋର ଭଞ୍ଜ,ପୂର୍ବତନ ଜଲଦା ସରପଞ୍ଚ ଚିତ୍ତରଞ୍ଜନ ଭୂମିଜ,ଲାଠିକଟା ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଖାଲକୋ, ହାତୀବନ୍ଧା ସରପଞ୍ଚ ଚାମର ସିଂ ମୁଣ୍ଡାରୀ, ସୁଇଡିହି ସରପଞ୍ଚ ବିନୋଦ କେର୍କେଟା, ଜଲଦା ସରପଞ୍ଚ ଜାତୃ ଓରାମ,ସମିତି ସଭ୍ୟା ଚନ୍ଦ୍ରାବତୀ ଓରାମ, ରାମଯୋଡ଼ି ଗ୍ରାମପଞ୍ଚାୟତ ସରପଞ୍ଚ ସି. ଆଇନ୍ଦ, ରଣଜିତ ସିଂ, ସୁବୋଧ କୁମାର ସିଂ, ଆରକେ ସିଂ, ସରୋଜ ଦାସ, ବିଶ୍ୱବନ୍ଧୁ ରାୟ,ଚନ୍ଦ୍ରଭାନୁ ଦାସ, ମୁରଲୀ ଗୌଡ଼, ଦୀପକ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଉକ୍ତ ରାସ୍ତାଦେଇ ବଣାଇଁ ଠାରୁ ଦେଓଗାଁ ପର୍ଯ୍ୟନ୍ତ ଏକ ବ୍ୟାପକ ଅଞ୍ଚଳରୁ ପ୍ରତିଦିନ ଦକ୍ଷିଣ ରାଉରକେଲାର ଦେଓଗାଁ, ମଡର୍ଣ୍ଣ ଇଣ୍ଡିଆ, ତାରାପୁର, ଜଲଦା (ଏ, ବି ଓ ସି ବ୍ଲକ), ସାରନଗରୀ, ନବକୃଷ୍ଣନଗର, ବାଲିଯୋଡ଼ି, ହାତୀବନ୍ଧା, ଅସୁରଛପଲ, ସୁଇଡିହି, ଲାଠିକଟାର ଜନସାଧାରଣ, ବିଦ୍ୟାର୍ଥୀ, ଶ୍ରମିକ, ବ୍ୟବସାୟୀ ବିଭିନ୍ନ କାର୍ଯ୍ୟ ତଥା ଡାକ୍ତରଖାନାକୁ ଛୋଟବଡ଼ ଯାନରେ ଯିବା ଆସିବା କରିବା ପାଇଁ ଉକ୍ତ ହେକେଟ ରୋଡ଼କୁ ବ୍ୟବହାର କରିଥାନ୍ତି ।

ଏହି ଅଞ୍ଚଳର ଜନସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା ପାଇଁ ରାଉରକେଲା ଉପରେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି । ଏହି ରାସ୍ତାକୁ ବନ୍ଦ କରିବା ଫଳରେ ଦକ୍ଷିଣ ରାଉରକେଲା ଅଞ୍ଚଳର ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ସମୟ ଓ ଅର୍ଥର ଅପଚୟ ହେଉଛି ବୋଲି ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ବ୍ୟତୀତ ଜାତୀୟ ରାଜପଥ ଦେଇ ବୁଲାଣି ରାସ୍ତାରେ ରାଉରକେଲା ଯିବା ଆସିବା କରିବା ଦ୍ୱାରା ପ୍ରତିଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।

ଅପରପକ୍ଷରେ ସାରନା ଛକ ଠାରୁ କିଛି ଦୂରରେ ଏକ ଛୋଟ କଚା ରାସ୍ତାରେ କେତେକ ଦୁଇ ଚକିଆ ଯାନ ଯାତ୍ରୀ ବହୁ କଷ୍ଟରେ ଦକ୍ଷିଣ ରାଉରକେଲା ଆସୁଥିବା ଜଣାପଡ଼ିଛି । ଇତିମଧ୍ୟରେ ଏହି ରୋଡ଼ ଖୋଲାଯିବା ଦାବିକୁ ସମର୍ଥନ ଜଣାଇ ବିଧାୟକ ସୁବ୍ରତ ତରାଇ ଓ ଅନୁଗାମୀ ମାନେ ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ । ଘଟଣାସ୍ଥଳକୁ ମଧ୍ୟ ପରିଦର୍ଶନ କରିଥିଲେ । ତେବେ ବିଧାୟକ ଶ୍ରୀ ତରାଇ ମଧ୍ୟ ଏହି ରାସ୍ତା ଖୋଲିବା ପ୍ରସଙ୍ଗରେ ବିଫଳ ହୋଇଥିବା ପ୍ରଚାରିତ ହୋଇଛି । ଅପରପକ୍ଷେ, ବିଧାୟକ ଶ୍ରୀ ତରାଇଙ୍କ ସମର୍ଥକ ମାନେ କହିଛନ୍ତି, ରାସ୍ତାଖୋଲାଯିବା ସକାଶେ ବିଧାୟକ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି ।

Related Post